ପରୀ ହତ୍ୟା ମାମଲାରେ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍ଆଇଟି
ଖୋର୍ଦ୍ଧା:- ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା SIT ଅଭିଯୁକ୍ତକୁ ଗିରଫ କରିଥିବା କହୁଥିବା ବେଳେ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି। ଆଜି SITର ୨ ଜଣ ଅଧିକାରୀ ଯଦୁପୁର ଗାଁରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆଶଙ୍କା କରି ଗ୍ରାମ ସଭାପତିଙ୍କ ସହ ଆଲୋଚନା କରିଥିଲେ ଓ ପ୍ରମାଣ ଦେଖାଇବାକୁ ସମୟ ମାଗିଛନ୍ତି। SIT ସହ ଆଲୋଚନା କରିବା ପରେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ SIT ଏକ ପ୍ରେସ ରିଲିଜ ଦେଇଥିଲା। ତେବେ ଏଥିରେ ଅଭିଯୁକ୍ତଙ୍କ ନାଁ ଦର୍ଶାଯାଇ ନ ଥିଲା। କିନ୍ତୁ ଶନିବାରଠାରୁ ତଦନ୍ତକାରୀ ଟିମ୍ ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ନେଇଥିବାରୁ ତାଙ୍କୁ ହିଁ ଗିରଫ କରାଯାଉଥିବା କୁହାଯାଉଛି। ଗତକାଲି ଅଭିଯୁକ୍ତ ଗିରଫ ହେବା ପରେ ଆଜି SIT ତାଙ୍କ ଘରେ ପହଞ୍ଚିଥିବାରୁ ତାଙ୍କୁ ହିଁ ଗିରଫ କରାଯାଇଥିବା ସ୍ପଷ୍ଟ ହୋଇଛି।ସରୋଜଙ୍କ ଘରେ SITର ୨ ଅଧିକାରୀ ତାଙ୍କ ମା’ଙ୍କୁ ପୁଣି ପଚରାଉଚରା କରିଥିବା ବେଳେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଜୟକୃଷ୍ଣ ସେମାନଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ମାଗିଥିଲେ। ପ୍ରମାଣ ନ ଦେଲେ ଗାଁ ଲୋକେ ତାଙ୍କୁ ଅଭିଯୁକ୍ତ ବୋଲି ମାନିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ। ଏହାପରେ ପ୍ରମାଣ ଦେବାକୁ SIT ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ବୋଲି ଜୟକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି।