ପାଟକୁରାରେ ଲକ୍ଷ ଲକ୍ଷ ଟଙ୍କାର କାଜୁ ସ୍କାମ୍,ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ
କେନ୍ଦ୍ରାପଡା:- ଚାରା ରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ଆସିଛି କେନ୍ଦ୍ରାପଡା ଗରଦପୁର ବ୍ଲକରୁ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧୁଶାସନ ପଂଚାୟତର ୩ଟି ପ୍ଲଟରେ କାଜୁ ଚାରା ରୋପଣ ନାଁରେ ୪୨ ଲକ୍ଷ ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।
କାଗଜପତ୍ରରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ମଧୁଶାସନ ପଂଚାୟତରେ ତିନିଟି ପ୍ଲଟ୍ରେ କାଜୁ ଚାରା ରୋପଣ ହୋଇଛି । ବାସ୍ତବ ଚିତ୍ର ହେଉଛି ଏଠି ଚରୁଛନ୍ତି ଗାଇଗୋରୁ । ଗୋଟିଏ କାଜୁ ଗଛର ବି ଦେଖା ନାହିଁ । ପ୍ରାୟ ୫ ବର୍ଷ ତଳେ ଲଗାଯାଇଥିବା କାଜୁ ଗଛର ଚିହ୍ନବର୍ଣ୍ଣ ନାହିଁ । ଆଗରୁ ଲଗା ଯାଇଥିବା ଦୁଇ ଚାରୋଟି କାଜୁ ଗଛକୁ ଛାଡିଦେଲେ ବିସ୍ତିର୍ଣ୍ଣ ଜମି ପଡିଆ ପଡିଛି । ଚାରା ଲଗା ନଯାଇ କାଗଜ ପତ୍ରରେ ଲଗାଯାଇଥିବାର ଦେଖେଇ ପ୍ରାୟ ୪୨ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କାଜୁ ଚାରା ବାବଦରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଅରଖକୁଦ ଗ୍ରାମର ଗୋଟିଏ ପ୍ଲଟ ପାଇଁ ଦୁଇ ଦଫାରେ ୩୦ ଲକ୍ଷରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଥିଲା । ସେହିପରି ବଡବେତରା ଗାଁର ଗୋଟିଏ ପ୍ଲଟ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୨ ଲକ୍ଷରୁ ଅଧିକ ଅର୍ଥ ବରାଦ କରାଯାଇଥିଲା । ଏଥିରେ ଦୁର୍ନିତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରିଛନ୍ତି ସ୍ୱତନ୍ତ୍ର ଟିମ୍ ।
କାଜୁ ଗଛ ନଲଗାଇ ଲକ୍ଷ ଲକ୍ଷ ଟଙ୍କାର ଏଭଳି ହଡପ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।