ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁଙ୍କୁ ମିଳିଲା ‘Z+’ ସୁରକ୍ଷା ଓ ବୁଲେଟ୍ ପ୍ରୁଫ ଗାଡି,
କୋଲକାତା:-ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦିନ ହିଁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ କ୍ୟାଟଗରୀ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଥିଲା। ସେହି ଅନୁସାରେ ତାଙ୍କ ଘର ଆଗରେ ୱାଇ ପ୍ଲସ୍ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ ହୋଇଛି। ତାଙ୍କୁ ଖୁବ୍ ଶୀଘ୍ର ବୁଲେଟପ୍ରୁଫ ଗାଡି ମଧ୍ୟ ମିଳିବ। ହେଲେ ବିଧାନସଭା ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ ନ କରିବା ଏବେ ତାଙ୍କ ଲାଗି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି।
ବିଧାନସଭା ବାଚସ୍ପତ ବିମାନ ବାନାର୍ଜୀ ତାଙ୍କ ଇସ୍ତଫା ଗ୍ରହଣ କରିନଥିବା କହିଛନ୍ତି। ସେ ସମ୍ବିଧାନ ଓ ବିଧାନସଭା ନିୟମାନୁସାରେ ଇସ୍ତଫା ଦେଇ ନଥିବା କହିଛନ୍ତି ବାଚସ୍ପତି, ଏଣୁ ଏହା ଅଗ୍ରାହ୍ୟ ହୋଇଯାଇଛି। ସେ ବ୍ୟକ୍ତିଗତ ଭାବେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଇ ନାହାନ୍ତି। ଏଣୁ ତାଙ୍କ ଇସ୍ତଫା ଉଚିତ ଅଥବା ଅନୁଚିତ ତାହା ସେ ଜାଣି ନଥିବା ବାନାର୍ଜୀ କହିଛନ୍ତି। ଏ ସମ୍ପର୍କରେ ଯେଉଁ ପର୍ଯ୍ୟନ୍ତ ତାଙ୍କଠାରୁ ସ୍ପଷ୍ଟୋକ୍ତି ନ ପାଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରିହେବନି ବୋଲି ବାଚସ୍ପତି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ଶୁଭେନ୍ଦୁ ଅଧିକାରୀ ବୁଧବାର ବିଧାୟକ ପଦରୁ ଓ ଗୁରୁବାର ଦଳରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ଦଳ ଓ ସରକାରରୁ ନିଜକୁ ଦୂରେଇ ନେଇଥିଲେ। ଶୁଭେନ୍ଦୁ ତୃଣମୂଳ ଛାଡିବା ମମତାଙ୍କ ସମେତ ତାଙ୍କ ଦଳ ଲାଗି ଝଟକା ବୁଝା ଯାଉଥିଲା। ଏବେ ଶୁଣା ଯାଉଛି ସେ ବିଜେପିରେ ଯୋଗଦେଉଛନ୍ତି। ଅମିତ ଶାହଙ୍କ ବେଙ୍ଗଲ ଗସ୍ତକାଳରେ ସେ ହୁଏତ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଆକଳନ କରାଯାଉଛି।