ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ, କଟକ ଘରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର
କଟକ:- ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଧଳସାବନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ କରାଯାଇଛି । ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଚଢଉ କରିଛି ପୋଲିସ । ଚଢଉ ବେଳେ ଧଳସାମନ୍ତ ଭ୍ରାତାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।ପୂର୍ବରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି । ୧୯୯୯ମସିହାରେ ହୋଇଥିବା ଗୁଳିକାଣ୍ଡ ଏବଂ ବେଆଇନ ବନ୍ଧୁକ କରବାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ସଜା ଭୋଗୁଛନ୍ତି ସୁଶାନ୍ତ ଧଳସାମନ୍ତ । ଗୋଟିଏ ମାମଲାରେ ୫ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ମାମଲାରେ ୪ବର୍ଷ ଜେଲ୍ ଦଣ୍ଡ ସହ ୨୫ହଜାର ଟଙ୍କାର ଜରିମାନା ଶୁଣାଇଥିଲେ । କୋର୍ଟ । ୨୦୧୬ ମସିହା ଜାନୁଆରୀ ୨୯ତାରିଖରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ । ଦୁଇ ମୋଷ୍ଟ ଓ୍ବାଣ୍ଟେଡ ଭାଇ ହତ୍ୟାକାଣ୍ଡ, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର, ରାଜ୍ୟରେ ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ ।୨୦୦୯ ମସିହା ଡିସେମ୍ବର ୧୧ରେ ନୂଆବଜାର ଡବଲ ମର୍ଡର, ବିଡାନାସୀ ହତ୍ୟାକାଣ୍ଡ, ଲାଲବାଗ୍ ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ଏବଂ ଡକାୟତି ଆଦି ବିଭିନ୍ନ ଘଟଣାରେ ସଂପୃକ୍ତ ଥିଲେ । ଉଭୟଙ୍କୁ ଗିରଫ କରି ଚୌଦ୍ବାର ଜେଲ୍ ରେ ରଖିଥିଲା ପୁଲିସ । ପରେ ସୁରକ୍ଷା ଦୃଷ୍ଟିରୁ ଅଲଗା ଅଲଗା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ମାସରେ ଝାରପଡା ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରିଥିଲା କମିଶନରେଟ୍ ପୁଲିସ ।