ଆମାଜନ୍ ପରେ ପିଣ୍ଟରେଷ୍ଟ: ଅନଲାଇନରେ ଶ୍ରୀଜିଉଙ୍କ ଅବଢା ବିକ୍ରି କରି ବିବାଦରେ ଅନଲାଇନ୍ ସଂସ୍ଥା
ପୁରୀ :-ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ନିଆଯାଉନାହିଁ ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟିଏ ପରେ ଗୋଟିଏ ସଂସ୍ଥା। କିଏ ନିର୍ମାଲ୍ୟ ବିକ୍ରି କଲାଣି ତ ଆଉ କିଏ ବିକ୍ରି କରୁଛି ମହାପ୍ରସାଦ। ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିବା ପରେ ସିଂହଦ୍ବାର ଥାନାରେ ଏନେଇ ଏତଲା ରୁଜୁ ହୋଇଛି। ଅନ୍ୟପଟେ ଶୁଖିଲା ମହାପ୍ରସାଦ ଅନଲାଇନ୍ରେ ବିକ୍ରି ହେଲେ କୌଣସି ଅସୁବିଧା ନାହିଁ ବୋଲି କିଛି ବ୍ୟକ୍ତି କହିଛନ୍ତି ।
ଆମାଜନ୍ ପରେ ଏବେ ପିଣ୍ଟରେଷ୍ଟ । ଅନଲାଇନ୍ରେ ଶ୍ରୀଜିଉଙ୍କ ଦୁର୍ମୁଲ୍ୟ ଅବଢା ବିକ୍ରି କରି ବିବାଦକୁ ଆସିଛି ପିଣ୍ଟରେଷ୍ଟ ନାମକ ଅନଲାଇନ୍ ସଂସ୍ଥା । ସମ୍ପୃକ୍ତ କମ୍ପାନୀ ଅନଲାଇନରେ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ଅଭିଯୋଗ ଆସିଛି । ଏହା ଜଣାପଡିବା ପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ବାର ଥାନାରେ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦେଇଛନ୍ତି। ଏହି କମ୍ପାନୀ ଆମାଜନ କମ୍ପାନୀ ସହ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଶମ୍ଭୁନାଥ ଅଭିଯୋଗ କରିବା ସହ ସଂପୃକ୍ତ କଂପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବେସରକାରୀ କମ୍ପାନୀ ମାନେ ଏବେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ଅନଲାଇନରେ ବିକି ଜଗନ୍ନାଥ ସଂସ୍କୃତିକୁ କଳୁଷିତ କରୁଥିବା ସେ ଅଭିଯୋଗ କରିଛନ୍ତି।ଅନ୍ୟପଟେ ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରୟକୁ କିଛି ମହଲରେ ସମର୍ଥନ ବି କରାଯାଇଛି । ସେମାନଙ୍କ କହିବା କଥା ଏହାଦ୍ବାରା ଶ୍ରୀଜିଉଙ୍କ ମହାପ୍ରସାଦ ସାରା ବିଶ୍ବବାସୀଙ୍କୁ ମିଳିପାରିବ ଓ ଜଗନ୍ନାଥ ସଂସ୍କୃତି ସଂପର୍କରେ ଲୋକେ ଅଧିକ ଜାଣିପାରିବେ। ସେମାନଙ୍କ କହିବା ଅନୁଯାୟୀ ତିରୁପତି ବାଲାଜୀ ଏବଂ ସିରିଡି ସାଇବାବାଙ୍କ ପ୍ରସାଦ ଅନଲାଇନରେ ମିଳୁଛି। ତେବେ ପ୍ରସାଦର ପବିତ୍ରତା ରକ୍ଷା କରିବା ପାଇଁ ସେସବୁ ମନ୍ଦିରର ପ୍ରଶାସନ ନିଜନିଜର ୱେବସାଇଟ ମାଧ୍ୟମରେ ଭକ୍ତଙ୍କ ନିକଟରେ ପ୍ରସାଦ ପହଞ୍ଚାଇପାରୁଛି। ଅନୁରୂପ ଭାବେ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କଲେ ଶ୍ରୀଜୀଉଙ୍କ ପ୍ରସାଦ ଦେଶବିଦେଶରେ ରହୁଥିବା ଭକ୍ତମାନେ ସହଜରେ ପାଇପାରନ୍ତେ ବୋଲି ଯୁକ୍ତି ଦର୍ଶାଯାଇଛି । ଯେତେ ଯାହା ଖାଇଲେ ବି ପ୍ରସାଦ ପ୍ରସାଦ। ଆନନ୍ଦ ବଜାରରେ ବସି ଅବଢ଼ା ସେବନ ଭାଗ୍ୟରେ ଥିଲେ ଜୁଟେ। ହେଲେ ଯେଉଁମାନେ ୭୫୦ କୋଷ ଦୂରରେ ରହୁଛନ୍ତି ସେମାନଙ୍କ ପାଇଁ ଯଦି ଶୁଦ୍ଧ ବ୍ୟବସ୍ଥା ହୋଇପାରନ୍ତା ତେବେ ଭକ୍ତମାନେ ଆମାଜନ ପିଣ୍ଟରେଷ୍ଟ ଭଳି ସଂସ୍ଥାର ଅଡୁଆରେ ପଡନ୍ତେନି।