କଂଗ୍ରେସକୁ ଝଟକା : ଦଳରୁ ଇସ୍ତଫା ଦେଲେ ଟିପିସିସି ଅଧ୍ୟକ୍ଷା ଅଭିନେତ୍ରୀ ବିଜୟଶାନ୍ତି,
ନୂଆଦିଲ୍ଲୀ :- ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଅଭିନେତ୍ରୀ ବିଜୟଶାନ୍ତି ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଲହା ସହିତ ବିଜୟଶାନ୍ତିଙ୍କ ସହିତ ତେଲେଙ୍ଗାନା ପ୍ରଦେଶ ଭାଜପା ଅଧ୍ୟକ୍ଷ ବଣ୍ଡୀ ସଞ୍ଜୟ ଏବଂ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜି. ପ୍ରକାଶ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ବିଜୟଶାନ୍ତି ସୋମବାର ଦିନ ବିଜେପିରେ ସାମିଲ ହେବେ । ଏହା ପୂର୍ବରୁ ବିଜୟଶାନ୍ତି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷା ଥିଲେ । ତେବେ ସେ ଟିପିସିସିରୁ ଇସ୍ତଫା ଦେବା ସହିତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ କଂଗ୍ରେସର ପ୍ରଚାର କମିଟି ଦାୟିତ୍ବ ଦିଆଯାଇଥିଲା । ତେବେ ଦଳ ପକ୍ଷରୁ ପର୍ଯ୍ୟାପ୍ତ ସହଯୋଗ ନିମିଳିବା ନେଇ ସେ ଅସନ୍ତୁଷ୍ଟ ଥିଲେ ।
ସାଧାରଣ ନିର୍ବାଚନ ପରେ ପରେ ସେ କଂଗ୍ରେସ ଦଳରୁ ନିଜକୁ ଦୂରେଇ ରଖିଥିଲେ । ସେ ପାର୍ଟିର କୌଣସି ସଭାସମିତିରେ ମଧ୍ୟ ଯୋଗ ଦେଉନଥିଲେ । ତେବେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବିଜୟଶାନ୍ତି ଶେଷରେ ରବିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ସୋମବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବେ ।