ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା
ଭୁବନେଶ୍ୱର:- ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଥମୁନି ତାତି । ଆଜି ପୁଣି ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ । ଏପରିକି ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଥିଲେ ।ଏହାପରେ ମଧ୍ୟ ବିଜେପି ବିଧାୟକଙ୍କ ହୋହଲ୍ଲା କମିନଥିଲା । ଗୃହ ମୁଲତବୀ ପରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ହାତରେ ପୋଷ୍ଟର ଧରି ଧାରଣା ଦେଇଥିଲେ । ବିଜେଡି-କଂଗ୍ରେସ ଅସାଧୁ ମେଣ୍ଟ ‘ପରୀ’କୁ ନ୍ୟାୟ ଦେବାରେ ପ୍ରତିବନ୍ଧକ ସାଜିଛି । ପରୀକୁ ନ୍ୟାୟ ଦେବା ଆମର ଦାବି ବୋଲି ନାରାବାଜି ଦେଇଥିଲେ ।