ଗ୍ରାମବାସୀ ଏବଂ ଡକାୟତଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ: ୪ ଆହତ

ବାଲେଶ୍ୱର:-ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ । ତେବେ ଗ୍ୟାଙ୍ଗରୁ ଜଣେ ଡକାୟତକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଅନ୍ୟପଟେ ୪ ଜଣ ଗ୍ରାମବାସୀ ଗୁରୁତର ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ଅଟକାଇଥିଲେ । ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲ ବାହାର କରି ତାଙ୍କ ଘର ପାଖ ଲୋକଙ୍କୁ ଫୋନ କରି ଡାକିଥିଲେ । ଡକାୟତ ମାନେ ସୁଦାମଙ୍କୁ  ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ସେହି ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ଡାକ ଶୁଣି ପହଞ୍ଚିଯିବାରୁ ସେମାନଙ୍କୁ ବି ଦୁର୍ବୁର୍ତ୍ତମାନେ ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀମାନେ ମଧ୍ୟ ଦୁର୍ବୁର୍ତ୍ତ ମାନଙ୍କ ଆକ୍ରମଣର ପ୍ରତି ଆକ୍ରମଣ କରିଥିଲେ ।

କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତ ମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଖବର ପାଇ ସୋର ଥାନା ଏ.ଏସ.ଆଇ ପ୍ରଦୀପ ମହାନ୍ତି, ଏ.ଏସ.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୁର୍ତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଏହି ଆକ୍ରମଣରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତର ଆହତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି । ସୋର ପୋଲିସ କାବୁ କରିଥିବା ଦୁର୍ବୁର୍ତ୍ତ ଜଣକ ଆହତ ହୋଇଥିବା ଜଣାପଡିଛି । ପୋଲିସ୍ କାବୁ କରିଥିବା ଦୁର୍ବୁର୍ତ୍ତ ଜଣକ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *