ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରଦୀପ୍ତ

ଭୁବନେଶ୍ୱର:-ବିଧାନସଭାରେ ଆଜି ବି ପରୀ ହତ୍ୟା ଘଟଣାକୁ ନେଇ ତୁମ୍ବିତୋଫାନ ହୋଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉଥିବା ନେଇ ବିଜେପି ଅଭିଯୋଗ କରିଛି । ଏଥିସହ ଏସଆଇଟି ତଦନ୍ତ ନିର୍ଦ୍ଦେଶର ସ୍ପଷ୍ଟତା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତି ନାୟକ ପ୍ରଶ୍ନ ଉଠାଇଛନ୍ତି ।ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛି । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିବୃତି ନେଇ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିବାଦ କରିଛନ୍ତି । ସେ କହିଛନ୍ତି, “ ଏ ପ୍ରସଙ୍ଗରେ ଚାରିଟି ଦିଗରୁ ବିବୃତି ରଖିବା ଲାଗି ବାଚସ୍ପତି ସୂଯର୍ୟନାରାୟଣ ପାତ୍ର ରୁଲିଂ ଦେଇଥିବାବେଳେ ମନ୍ତ୍ରୀ କେବଳ ଗୋଟିଏ ବିଷୟରେ ଉତ୍ତର ଦେଇଥିଲେ । ଅନ୍ୟ ୩ଟି ଦିଗକୁ ଏଡ଼ାଇ ଯାଇଥିଲେ । ଅଭିଯୋଗ ଆସିଥିବା କୃଷିମନ୍ତ୍ରୀଙ୍କ ସଂପର୍କରେ କିଛି କହିଲେ ନାହିଁ ।” ତେଣୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହାଛଡ଼ା ଏସ୍ଆଇଟି ତଦନ୍ତ ନେଇ ଭିନ୍ନ ଭିନ୍ନ ଅର୍ଥ ସୃଷ୍ଟି ହେଉଛି । ଏଣୁ ଏ ସଂପର୍କରେ ସ୍ପଷ୍ଟୀକରଣ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି । ସେପଟେ ପରୀ ହତ୍ୟା ଘଟଣାର ତଦନ୍ତ ନେଇ କୋର୍ଟ ମନିଟର ଏସଆଇଟ ଗଠନ ହେବ । ଏନେଇ ଗୃହରେ ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ରଖିଛନ୍ତି । ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ କହିଛନ୍ତି ।

ଏସବୁକୁ ନେଇ ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖାଯାଇଛି । ପୂର୍ବରୁ ଏସଆଇଟି ଗଠନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କିନ୍ତୁ କିଛି ସଦସ୍ୟ ଏନେଇ ସନ୍ଦେହ କରିଥିଲେ । ପରୀ ହତ୍ୟା ଘଟଣାକୁ ଏକ ଛୋଟ ଘଟଣା ବୋଲି ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ମନ୍ତବ୍ୟ ନେଇ ମଧ୍ୟ ବିରୋଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *