ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ କମ୍ପିଲା ବିଧାନସଭା

ଭୁବନେଶ୍ୱର:-ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା । ଏହି ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ଉଠିଥିବା ବେଳେ ତାଙ୍କ ଇସ୍ତଫା ଦାବିରେ ଆଜି ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ପରୀର ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁଁ  ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ। ବିଜେପି ସଦସ୍ୟ ମାନେ ବ୍ୟାନର ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭ୍ୟ ବି କୃଷି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ନହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ୨୦ ମିନିଟ୍ ଓ ପରେ ଅପରାହ୍ନ ୩ଟା ଯାଏ ମୁଲତବି ଘୋଷଣା କରିଥିଲେ।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରିଛନ୍ତି । ସେ କହିଛନ୍ତି, “ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ।”କ୍ରାଇମବ୍ରାଞ୍ଚ ତଦନ୍ତକୁ ଅଗ୍ରାହ୍ୟ କରିଛି କଂଗ୍ରେସ । ପୂର୍ବରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅନେକ ସଂଗୀନ ଅଭିଯୋଗ ଆସିଛି, ଯାହାର ତଦନ୍ତ କ୍ରାଇମବ୍ରାଞ୍ଚ କରିଛି। ହେଲେ ଫଳ କିଛି ମିଳିନାହିଁ। ଏଣୁ ଏଥର କ୍ରାଇମବ୍ରାଞ୍ଚ ତଦନ୍ତ ନୁହେଁ, ପ୍ରଥମେ ମନ୍ତ୍ରୀଙ୍କ ଇସ୍ତଫା ଓ ପରେ ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି।ସୂଚନାଯୋଗ୍ୟ, ନ୍ୟାୟ ନ ମିଳିବାରୁ ସବୁଆଡୁ ନିରାଶ ହେବା ପରେ ଗତ ମଙ୍ଗଳବାର ସୌଦାମିନୀ ଓ ତାଙ୍କ ସ୍ୱାମୀ ଅଶୋକ ସାହୁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ପୁଲିସ୍ ତତ୍‌କ୍ଷଣାତ ସେମାନଙ୍କୁ ଉଦ୍ଧାର କରିଥିଲା।

ଏହି ଦମ୍ପତି ଦେଇଥିବା ସୂଚନା ଅନୁଯାୟୀ,  ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରାଯାଇଥିଲା। ଖୋଜାଖୋଜି କରି ନପାଇବାରୁ ସେମାନେ ଥାନାରେ ଏତଲା ଦେଇଥିଲେ। ୩ ଦିନ ଯାଏ ପୁଲିସ୍‌ ଚୁପ୍ ରହିବାରୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ବି ଭେଟିଥିଲେ। ତଥାପି ପଦକ୍ଷେପ ନିଆଯାଇ ନଥିଲା। ଦୁଇ ସପ୍ତାହ ପରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା। ରାତି ଅଧରେ ଦୁର୍ବୃତ୍ତ ବାଡିପଟେ ଝିଅର ହାଡ଼ ଫିଙ୍ଗି ପଳାଇ ଯାଇଥିଲେ।

ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ବାବୁଲି ନାଏକ ଝିଅକୁ ମାରି ଦେଇଥିବା ସିଧାସଳଖ ଅଭିଯୋଗ ଆଣିଥିଲେ ପରୀ’ର ମା’ ସୌଦାମିନୀ ସାହୁ ।   ମନ୍ତ୍ରୀ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ସେ କହିଥିଲେ।  ବିରୋଧୀଙ୍କ ଚାପ ପରେ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତ୍ତି ରଖି  ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ। ଏହା ସହ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *