‘ପରୀ’ ହତ୍ୟା ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର
କଟକ:- ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ପରୀର ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି । ଏହି ଘଟଣାରେ ରାଜ୍ୟ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ନୟାଗଡ଼ ଏସପି, ନୟାଗଡ଼ ସଦର ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ ଗତ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା ପରୀ । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇ ସଦର ଥାନାରେ ଅଭିଯୋଗ କରିଥିଲେ । ପେଲିସ ଟିମ୍ ଗଠନ କରି ତଦନ୍ତ କରିବା ସହ ଡଗ୍ ସ୍କ୍ବାର୍ଡ ଆଣି ଖୋଳତାଡ କରିଥିଲା । ୨୩ ତାରିଖ ଅପରାହ୍ନରେ ବାଡି ପଟ ଗାଡିଆ କୂଳରେ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା । ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ । ଯାହାକୁ ନେଇ ନୟାଗଡାରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।