କ୍ରିକେଟରୁ ଅବସର ପରେ ଚାଷରେ ମନ ବଳାଇଛନ୍ତି ଧୋନୀ

ନୂଆଦିଲ୍ଲୀ:-କ୍ରିକେଟରୁ ଅବସର ପରେ ଚାଷରେ ମନ ବଳାଇଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ନିଜ ଫାର୍ମରେ ଧୋନୀ ଟମାଟୋ ଓ ଦୁଗ୍ଧ ଚାଷ କରୁଛନ୍ତି । ରାଞ୍ଚିର ଧୁର୍ବାସ୍ଥିତ ସେମ୍ଭୋ ଠାରେ ୫୫ ଏକର ଜମିରେ ଏହି ଚାଷ କରୁଛନ୍ତି ଧୋନୀ । ଧୋନୀ ଡାଏରୀ ଫାର୍ମ ସହ ଅର୍ଗାନିକ ଚାଷ ମଧ୍ୟ କରୁଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ଟମାଟୋ, ଫୁଲକୋବି, ବ୍ରୋକଲି ଆଦି ପରିବା ଚାଷ କରାଯାଉଛି ।

ଧୋନୀଙ୍କ ଫାର୍ମ ହାଉସରେ ଚାଷ ହେଉଥିବା ଟମାଟୋ ଅର୍ଗାନିକ ପ୍ରଣାଳୀରେ ଚାଷ ହେଉଛି । ଏଥିପାଇଁ ବଜାରରେ ଏହାର ଭଲ ଚାହିଦା ମଧ୍ୟ ରହିଛି । ୧ ସପ୍ତାହ ପରେ ଫାର୍ମରେ ଚାଷ ହେଉଥିବା କୋବିର ସ୍ୱାଦ ମଧ୍ୟ ଲୋକମାନେ ପାଇପାରିବେ । ବର୍ତ୍ତମାନ ଧୋନୀଙ୍କ ଫାର୍ମର ଟମାଟୋ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହେଉଛି ।ଏହାସହ ଏକ ଡାଏରୀ ଫାର୍ମ ମଧ୍ୟ ଚଳାଉଛନ୍ତି ଧୋନୀ । ନିଜ ଡାଏରୀ ଫାର୍ମରେ ଧୋନୀ ଭାରତୀୟ ପ୍ରଜାତିର ସାହିୱାଲ ଓ ପ୍ରାନ୍ସ ପ୍ରଜାତିର ଫିଜିଆନା ଗାଇ ରଖିଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ୭୦ଟି ଗାଇ ରହିଛି । ଏହାର ଦେଖାଶୁଣା ଶିବାନନ୍ଦ ନାମଜ ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀ କରୁଛନ୍ତି ।ପ୍ରତି ଦିନ ଧୋନୀଙ୍କ ଫାର୍ମରୁ ୩୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଏହା ସିଧା ବଜାରରେ ଯାଇ ବିକ୍ରି ହେଉଛି । ଲିଟର ପିଛା ୫୫ ଟଙ୍କାରେ କ୍ଷୀର ବିକ୍ରି କରୁଛନ୍ତି ଧୋନୀ । କିଛିଦିନ ପୂର୍ବରୁ ଧୋନୀ କଡକନାଥ କୁକୁଡା ଚାଷ କରିବେ ବୋଲି ଚର୍ଚ୍ଚା ହୋଇଥିଲା । ଏନେଇ ଧୋନୀ ୨ ହଜାର କୁକୁଡା ଚିଆଁ ପାଇଁ ମଧ୍ୟ ବରାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *