ପୋଲିସ ଏନକାଉଣ୍ଟରରେ ୩ ନକ୍ସଲ ନିହତ: କୁଖ୍ୟାତ ନକ୍ସଲ କମାଣ୍ଡର ଉପରେ ଥିଲା ୧୦ ଲକ୍ଷ ଟଙ୍କା ପୁରସ୍କାର

ପାଟନା:-ବିହାର ଗୟାରେ ପୋଲିସ ଏନକାଉଣ୍ଟର ୩ ନକ୍ସଲ ପ୍ରାଣ ହରାଇଛନ୍ତି। ୩ ନକ୍ସଲଙ୍କ ମଧ୍ୟରେ ଜଣେ କୁଖ୍ୟାତ ନକ୍ସଲ ମଧ୍ୟ ସାମିଲ ଅଛି। ଏହି କୁଖ୍ୟାତ ନକ୍ସଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ନକ୍ସଲମାନେ ଏକ ବଡ ଘଟଣାକ୍ରମରେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ଏହାପରେ ପୋଲିସ ଏନକାଉଣ୍ଟର କରିଥିଲା।

ସୂଚନା ଅନୁଯାୟୀ, ନକ୍ସଲ ସଂଗଠନର ଇନ୍ଦଲ ଗ୍ରୁପ ଶନିବାର ରାତିରେ ବାରାଚଟ୍ଟି ଅନ୍ତର୍ଗତ ନଗରପୁରଡିହର ମୁଖିଆଙ୍କ ଦିଅର ବୀରେନ୍ଦ୍ର ଯାଦବ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାରାଚଟ୍ଟି ଥାନା ପୋଲିସ ଓ କୋବ୍ରା ୨୦୫ କମ୍ପାନୀ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପୋଲିସ ଓ କୋବ୍ରା ଟିମ ଘଟଣାସ୍ଥଳରେ ପହଞ୍ଚି ନକ୍ସଲଙ୍କୁ ଘେରାଉ କରିଥିଲେ। ଏହାପରେ ଉଭୟ ତରଫରୁ ଫାଇରିଙ୍ଗ ହୋଇଥିଲା। ପୋଲିସ ଗୁଳିରେ ନକ୍ସଲ ଜୋନାଲ କମାଣ୍ଡର ଆଲୋକ ଯାଦବ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା। ଆଲୋକ ଉପରେ ଝାରଖଣ୍ଡ ସରକାର ତରଫରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଆଉ ଦୁଇ ନକ୍ସଲ ପୋଲିସ ଗୁଳିରେ ଆହତ ହେବାପରେ ସେଠାରୁ ଫେରାର ହୋଇଯାଇଥିଲେ। କିନ୍ତୁ ପରେ ପୋଲିସ ଦୁଇ ଆହତ ନକ୍ସଲଙ୍କ ମୃତଦେହ ଠାବ କରିଥିଲା। ପୋଲିସ ଓ ନକ୍ସଲ ଫାଏରିଙ୍ଗରେ ଜଣେ ପୋଲିସକର୍ମୀ ଓ ଅନ୍ୟ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏସପି ରାଜୀବ ମିଶ୍ର କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳରୁ ଏକେ-୪୭ ଓ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ନକ୍ସଲ ଟିମ ଯେଉଁ ବୀରେନ୍ଦ୍ର ଯାଦବଙ୍କୁ ହତ୍ୟା କରିଛି, ତାଙ୍କୁ ଏବଂ ତାଙ୍କ ପରିବାରକୁ ନକ୍ସଲ ପୂର୍ବରୁ ହିଁ ଟାର୍ଗେଟ କରିଥିଲେ। କିଛି ବର୍ଷ ପୂର୍ବରୁ ସାସାରାମ ଅଞ୍ଚଳରେ ବୀରେନ୍ଦ୍ର ଯାଦବଙ୍କ ଭାଇଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। ଏହାପରେ ସେ ନକ୍ସଲଙ୍କ ଭୟରେ ଗାଁ ଛାଡି ବାରାଚଟ୍ଟିରେ ରହୁଥିଲେ।

Leave a Reply

Your email address will not be published. Required fields are marked *