ପୁରୀ ହାଜତ ମୃତ୍ୟୁ ଘଟଣା : ବଦଳିଲେ ପୁରୀ ଏସ୍‌ପି, କନୱର ବିଶାଲ ସିଂ ହେବେ ନୂଆ ଏସ୍‌ପି

ଭୁବନେଶ୍ୱର:-ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ମାମଲାରେ ତଦନ୍ତ ଚାଲିଥିବା ବେଳେ ପୁରୀ ଏସ୍.ପି. ଅଖିଳେଶ୍ବର ସିଂଙ୍କୁ କଟକ ପୋଲିସ ମୁଖ୍ୟାଳୟ ଏସ୍.ପି. ଭାବେ ବଦଳି କରାଯାଇଛି । ଏନେଇ ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ସମ୍ବଲପୁର ଏସ୍.ପି କନୱର ବିଶାଲ ସିଂ ଙ୍କୁ ପୁରୀ ଏସ୍ .ପି ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ବାସେଳିସାହି ଥାନାର SI ବିପ୍ଲବ କୁମାର ପ୍ରଧାନଙ୍କ ସହ କନେଷ୍ଟବଳ ବାବୁଲି ବେହେରା ଏବଂ ଜଗନ୍ନାଥ ସ୍ବାଇଁ ଙ୍କୁ ସସପେଣ୍ଡ କରାଯାଇଛି । I ଗୁରୁବାର ପୁରୀ ବାସେଳି ସାହି ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଏହି ଘଟଣାରେ ପୋଲିସର ଆକ୍ସନ୍ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତକାଲି ଜାତୀୟ ମାନବାଧିକାର କମିଶନ୍, ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହ୍ୟୁମ୍ୟାନ୍ ରାଇଟ୍ ଫ୍ରଣ୍ଟ ଅଧ୍ୟକ୍ଷ ମନୋଜ ଜେନାଙ୍କ ଆବେଦନ କ୍ରମେ ,N.H.R.C ରାଜ୍ୟ ସରକାରଙ୍କ ଠାରୁ ୧୪ଟି ପଏଣ୍ଟରେ ଉତ୍ତର ମାଗିଛନ୍ତି।

ପୋଲିସ୍ ହାଜତରେ ପ୍ରାଣ ହରାଇଥିବା କେ. ରମେଶଙ୍କୁ କେତେବେଳେ ଓ କାହିଁକି ଗିରଫ କରାଯାଇଥିଲା ଏହାର ତଥ୍ୟ ଦେବା ସହିତ, ତାଙ୍କ ବିରୋଧରେ ଥିବା ଏଫ୍.ଆଇ.ଆର୍ କପି , ଆରେଷ୍ଟ କପି ,ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଏହାର ଭିଡିଓ ଗ୍ରାଫି ଆଦି ଦେବା ଲାଗି କୁହାଯାଇଛି । ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି । ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଏହି ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି। ଏହି ମାମଲା ନେଇ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରିଥିଲେ ବିରୋଧୀ । ଏହି ମାମଲାରେ NHRC ଗାଇଡଲାଇନ୍ ଅନୁଯାୟୀ ଜଣେ ଡି.ଏସ୍.ପି. ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ପୁରୀ ଏସ୍.ପି.ଙ୍କୁ ବଦଳି କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *