ଓବାମାଙ୍କ ପୁସ୍ତକକୁ ନେଇ ଥରୁର କହିଲେ ବହିରେ କେଉଁଠି ହେଲେ ନାହିଁ ମୋଦିଙ୍କ ନାମ,
ନୂଆଦିଲ୍ଲୀ :-ଓବାମାଙ୍କ ଚର୍ଚ୍ଚିତ ପୁସ୍ତକ ‘ଏ ପ୍ରୋମିସଡ୍ ଲ୍ୟାଣ୍ଡ’କୁ ନେଇ ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନି। ବହିକୁ ନେଇ କଂଗ୍ରେସ ନେତା ଶଶି ଥରୁର ସୋମବାର ନୂଆ ବିବାଦ ଆରମ୍ଭ କରିଛନ୍ତି। ଓବାମାଙ୍କ ବହିର କୌଣସି ସ୍ଥାନରେ ଥରଟିଏ ହେଲେବି ଭାରତର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନଥିବା କହିଛନ୍ତି। ତେବେ ପୁସ୍ତକରେ ପୂର୍ବତନ ୟୁପିଏ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କୁ ଓବାମା ଉଚ୍ଚ ପ୍ରଶଂସା କରିଥିବା କଥା କହିଛନ୍ତି ଥରୁର।ଏ ନେଇ ଥରୁର ସୋମବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଯେଉଁଥିରେ ସେ କୌଣସି ପ୍ରକାର ଓବାମାଙ୍କ ସ୍ମୃତି ପୁସ୍ତକର ଅଗ୍ରୀମ କପିଟିଏ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ସୂଚିତ କରିଛନ୍ତି। ତେବେ ପୁସ୍ତକରେ ଏନଡିଏ ପ୍ରଧାନମନ୍ତ୍ରୀଙ୍କର ନାମ ହିଁ ନଥିବା ଦେଖି ସେ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। ଓବାମା ତାଙ୍କ ପୁସ୍ତକରେ କଂଗ୍ରେସ ସାଂସଦ ତଥା ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ‘ନର୍ଭସ’ ଲିଡର ଉଲ୍ଲେଖ କରିଥିବାରୁ ଦେଶରେ ତାହା ପ୍ରସଙ୍ଗ ପାଲଟିଛି।ଥରୁର ଓବାମାଙ୍କ ପୁସ୍ତକରେ ଭାରତ ସମ୍ପର୍କିତ ପ୍ରତିଟି ବିଷୟକୁ ଧ୍ୟାନପୂର୍ବକ ପଢିଥିବା ଉଲ୍ଲେଖ କରିଛନ୍ତି। ହେଲେ କେଉଁଠାରେ ହେଲେ ଜାତୀୟତାବାଦୀ ନେତା ମୋଦିଙ୍କ ନାମ ଥରଟିଏ ବି ଉଲ୍ଲେଖ ନଥିବା ବେଳେ ପୂର୍ବତନ ୟୁପିଏ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ପୁସ୍ତକରେ ଓବାମା ମନମୋହନଙ୍କୁ ‘ବୁଦ୍ଧିମାନ, ବିଚାରଶୀଳ ଓ ବିଶ୍ୱସ୍ଥରୁ ଅତ୍ୟନ୍ତ ବିଶ୍ୱସ୍ଥ’ ବୋଲି ଉଲ୍ଲେଖ କରିଥିବା ଥରୁର ତାଙ୍କ ଟ୍ୱିଟ୍ ସିରିଜରେ ଉଲ୍ଲେଖ କରିଛନ୍ତି।