ରାତିରେ ଶୋଇଥିବା ବେଳେ ଫାଟିଗଲା ମୋବାଇଲ୍, ବର୍ଷକର ଶିଶୁ କନ୍ୟା ଗୁରୁତର
ଲକ୍ଷ୍ମୀପୁର :- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଅଭାବନୀୟ ଘଟଣା । ମୋବାଇଲ୍ ଫାଟି ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ତଳ ବିଲାଂସିଲ ଗାଁର ରୋହିତ ନାଚିକା ବର୍ଷେ ତଳେ ୧୫ ଶହ ଟଙ୍କାରେ ଏକ ମୋବାଇଲ ଫୋନ୍ କିଣିଥିଲେ । ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇଥିଲେ । ମୋବାଇଲ ଫୁଲ୍ ଚାର୍ଜ ହେବା ପରେ ଖଟରେ ରଖି ଦେଇଥିଲେ । ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନାଚିକା ଶୋଇଥିବା ବେଳେ ପ୍ରାୟ ରାତି ଗୋଟାଏ ବେଳେ ମୋବାଇଲ ଫାଟି ଯାଇଥିଲା । ପରେ ନିଜ ଝିଅର ଚିତ୍କାର ଶୁଣି ଦେଖିଲା ବେଳକୁ ମୋବାଇଲ ଫାଟି ଝିଅଟିର ମୁହଁ ପୁରା ପୋଡିଯାଇଛି । ସୋମବାର ସକାଳୁ ସକାଳୁ ଝିଅଟିକୁ ଧରି ଲକ୍ଷ୍ମୀପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।