ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର, ଦୁଇଦିନ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ବିଧାନସଭା ଭଙ୍ଗ କରିବାର ପ୍ରସ୍ତାବ ଦେଇଛନ୍ତି । ବିହାର ବିଧାନସଭାରେ ନୀତିଶଙ୍କ ନେତୃତ୍ବରେ ନିର୍ବାଚନ ଲଢୁଥିବା ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିଛି ।
ନୀତିଶ କୁମାରଙ୍କ ଇସ୍ତଫା ଦେବା ଏବଂ ରାଜ୍ୟପାଳଙ୍କୁ ବିଧାନସଭା ଭଙ୍ଗ କରିବାର ପ୍ରସ୍ତାବ ଦେବା ପରେ ଏବେ ବିହାରରେ ନୂତନ ସରକାର ଗଠନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟପାଳ ଫାଗୁ ଚୌହାନ ନୀତିଶଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏନଡିଏର ନୂତନ ସରକାର ଗଠନ ହେବାଯାଏଁ ସେ ନୀତିଶଙ୍କୁ କାମଚଳା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ଦେଇଛନ୍ତି ।
ଏବେ ଦୀପାବଳି ପରେ ନଭେମ୍ବର ୧୫ କିମ୍ବା ରବିବାରକୁ ଏନଡିଏର ନବନିର୍ବାଚିତ ବିଧାୟକଙ୍କ ବୈଠକ ବସିବ । ଯେଉଁଥିରେ ଏନଡିଏର ନେତା ନିର୍ବାଚିତ ହେବେ । ସୂଚନା ମିଳିଛି କି ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ।
ରବିବାର ଦିନ ସାଢେ ୧୨ରେ ଏନଡିଏ ବିଧାୟକ ଦଳର ବୈଠକ ହେବ । ଯେଉଁଥିରେ ସରକାର ଗଠନ ହେବାଠାରୁ ଆରମ୍ଭ କରି ସମସ୍ତ ନିର୍ଣ୍ଣୟ ନିଆଯିବ । ବଧାୟକ ବୈଠକରେ ଔପଚାରିକତା ଦୃଷ୍ଟିରୁ ନୀତିଶକୁମାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ ।