୧୫ ନଭେମ୍ବରରେ ଏନ୍ଡିଏ ବିଧାୟକ ଦଳ ବୈଠକ, ନୀତିଶ କୁମାର ହେବେ ନେତା
ପାଟ୍ନା :- ଏନଡିଏ ବିଧାୟକ ଦଳର ସଂଯୁକ୍ତ ବୈଠକ ରିବିବାର ଅନୁଷ୍ଠିତ ହେବ। ଏହି ବୈଠକରେ ନୀତିଶ କୁମାରଙ୍କୁ ନେତା ଭାବେ ଚୟନ କରାଯିବ। ଶୁକ୍ରବାର ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଆଜିର ଏହି ବୈଠକରେ ଭାଜପା, ଜେଡିୟୁ, ହମ, ବିଆଇପି ନେତା ସାମିଲ ଥିଲେ। ତେବେ ରବିବାର ଦିନ ୧୨.୩୦ରେ ବୈଠକ ଆରମ୍ଭ ହେବ। ଏଥିରେ ଆଗାମୀ ରଣନୀତି ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ନୀତିଶ କୁମାର କହିଛନ୍ତି।
ବିହାର ବିଧାନସଭା ନିର୍ବାଚନରେ ୭୪ ସିଟ୍ରେ ବିଜେପି ବାଜି ମାତ କରି ଏନଡିଏରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ବେଳେ ଜେଡିୟୁ ୪୩ ସିଟ୍ରେ ଜିତ ହାସଲ କରିଛି। କିନ୍ତୁ ବିଜେପିର ଶୀର୍ଷ ନେତୃତ୍ବ ନୀତିଶ କୁମାରଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ଉପରେ ଜୋର ଦେଇଛନ୍ତି। ତେବେ ତାଙ୍କ ଆବାସରେ କଣ ନିଷ୍ପତ୍ତି ହୋଇଛି ସେନେଇେ ନୀତିଶ କୁମାର କିଛି କହିନଥିବା ବେଳେ ମନ୍ତ୍ରୀମଣ୍ଡଳ, ନୂଆ ବିଧାନସଭା ଅଧ୍ୟକ୍ଷ ସମ୍ପର୍କରେ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଏମିତି ମଧ୍ୟ କୁହାଯାଉଛି ଉତ୍ତରପ୍ରଦେଶ ଭଳି ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବା ପ୍ରକ୍ରିୟାକୁ ଗ୍ରହଣ କରାଯାଇପାରେ।










