ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା, ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା
ବଲାଙ୍ଗିର:-ବଲାଙ୍ଗୀର ପାଟଣାଗଡ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ଗାଁରେ ପହଞ୍ଚିଛନ୍ତି ବୁଲୁ ଜାନିଙ୍କ ତିନି ପୁଅ ।
ସୂଚନାଯୋଗ୍ୟ ଯେ, ଛତିଶଗଡରୁ ଆସି ପାଟଣାଗଡରେ ରହୁଥିଲେ ବୁଲୁ ଜାନି ଓ ତାଙ୍କ ପରିବାର । ମହୁ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ବୁଲୁ ଜାନି ଓ ତାଙ୍କ ପତ୍ନୀ ଜ୍ୟୋତିଙ୍କ ସହ ୧୨ ବର୍ଷର ଝିଅ ସରିତା, ୫ ବର୍ଷର ପୁଅ ଭୀଷ୍ମ, ୩ ବର୍ଷର ଝିଅ ଶ୍ରୀୟା ଏବଂ ୨ ବର୍ଷର ପୁଅ ସଞ୍ଜୀବଙ୍କୁ ମଙ୍ଗଳବାର ରାତିରେ କେହି ନିର୍ମମ ହତ୍ୟା କରିଛି ।
ବୁଧବାର ସକାଳୁ ପ୍ରାୟ ୧୦ଟା ପର୍ଯ୍ୟନ୍ତ ବୁଲୁ ଜାନିଙ୍କ ଘର କବାଟ ନଖୋଲିବାରୁ ପାଖ ପଡୋଶୀଙ୍କ ସନ୍ଦେହ ବଢିଥିଲା । ସେମାନେ ଘରର ଝରକା ବାଟେ କମ୍ବଳ ଘୋଡା ଅବସ୍ଥାରେ ଏଣେ ତେଣେ ମୃତଦେହ ପଡିଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଲାଙ୍ଗିର ଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।