ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲା: ପୁଲିସ୍‌ ଡିଜିଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ

କଟକ:-ଭୁବନେଶ୍ୱର ନାବାଳିକା ଦୁଷ୍କର୍ମରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇ ପାରିନାହିଁ । ହାଇକୋର୍ଟ ଏ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ପୁଲିସ୍‌ ଡିଜିଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୧୮ ତାରିଖକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି । ସେହିଦିନ ପୁଲିସ୍‌ ଡିଜି ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବେ ।

ପୂର୍ବ ଶୁଣାଣିରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ୍‌ବ୍ରାଞ୍ଚ୍‌ ଏହି ଘଟଣା ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିଥିଲା । କିନ୍ତୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଥିଲା ସେଥିରେ ତଦନ୍ତରେ ବିଶେଷ କୌଣସି ଅଗ୍ରଗତି ଘଟିନଥିବା ହାଇକୋର୍ଟ ଉପଲବ୍ଧି କରିଥିଲେ । ଫଳରେ ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ତଦନ୍ତର ଅଗ୍ରଗତିକୁ ନେଇ ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍‌ ସତ୍ୟପାଠ ଦାଖଲ କରିନପାରି ଜବାବ ଦାଖଲ ଲାଗି ଅଦାଲତଙ୍କଠାରୁ ପୁଣି ସମୟ ଲୋଡ଼ିଥିଲେ । ଫଳରେ ହାଇକୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌ ଉପରେ ବିରକ୍ତ ହେବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ, ଆଇନଜୀବୀ ଗୌତମ ସିଦ୍ଦିକ୍‌ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏଥିରେ ପୁଲିସ୍‌ ଏବଂ ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସାମିଲ୍‌ ଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଜଣେ ଡିସିପି କିମ୍ବା ତଦୁଦ୍ଧ୍ୱର୍ ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *