ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଓଏଏସ ବାବୁଙ୍କ ହେଲା ବଦଳି, କାଲି ଗିରଫ ହୋଇଥିଲେ ଶ୍ୱଶୂର,
ଭୁବନେଶ୍ୱର:- ରାଜଧାନୀରେ ଓଏଏସ ବାବୁଙ୍କ ଘରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୂରଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ସେପଟେ ଭୁବନେଶ୍ବର ଉତ୍ତର ଜୋନ୍ ଜେଡ୍ଡିସି ପ୍ରମୋଦ ପୃଷ୍ଟିଙ୍କୁ ବିଏମସି ହେଡ୍ ଅଫିସକୁ ବଦଳି କରାଯାଇଛି ।ତେବେ ଜଣେ ଆଦିବାସୀ ନାବାଳିକାଙ୍କୁ ସହାୟିକା ଭାବେ ଘରେ କାମ କରାଇ ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲଂଘନ କରିଥିବା ସରକାରୀବାବୁଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି କିମ୍ବା ଚାକିରିରୁ ବହିଷ୍କାର କରାଯାଇନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।
ରାଜଧାନୀରେ ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକା ଦୁଷ୍କର୍ମ ଘଟଣା । ଅଭିଯୁକ୍ତ ସରକାରୀ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୂରଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ପୋଲିସର ସ୍ବତନ୍ତ୍ର ଟିମ୍ ପ୍ରମୋଦଙ୍କ ଶ୍ବଶୂରଙ୍କୁ ଭୁବନେଶ୍ବରରୁ ଉଠାଇଥିବା କୁହାଯାଉଛି । ତେବେ ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ଏ ବାବଦରେ ମୁହଁ ଖୋଲୁନାହାନ୍ତି । ସେପଟେ ଜଣେ ଆଦିବାସୀ ନାବାଳିକାକୁ ବର୍ଷ ବର୍ଷ ଧରି ଘରେ କାମ କରାଇ ଶିଶୁ ଶ୍ରମିକ ଆଇନ୍ର ଖୋଲାଖୋଲି ଉଲଂଘନ କରିଥିବା ପ୍ରମୋଦ ପୃଷ୍ଟିଙ୍କୁ କାହିଁକି ଏପର୍ଯ୍ୟନ୍ତ ଗିରଫ କରାଯାଇନି ତାକୁ ନେଇ ଉଠିଛି ପ୍ରଶ୍ନ ।ରାଜଧାନୀରେ ଜଣେ ସରକାରୀ ବାବୁଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସୁଛି । ହେଲେ ଅଭିଯୋଗ ଆସିଥିବା ବାବୁ ଜଣକ ଖୁଲମଖୁଲା ବୁଲୁଛନ୍ତି । ହାଇକୋର୍ଟରୁ ଆଗୁଆ ଜାମିନ୍ ଆଣିବାକୁ ପ୍ରୟାସ୍ ଚଳାଇଛନ୍ତି । ହେଲେ ନା’ କମିଶନରେଟ୍ ପୋଲିସ ନା’ ଯାଜପୁର ପୋଲିସ କେହି ତାଙ୍କୁ ଗିରଫ କରିପାରୁନାହାନ୍ତି । ଏପଟେ ଭୁବନେଶ୍ବର ଉତ୍ତର ଜୋନ୍ ଜେଡ୍ଡିସି ପଦରୁ ପ୍ରମୋଦ ପୃଷ୍ଟିଙ୍କୁ ହଟାଇ ଯାଇ ତାଙ୍କ ଯାଗାରେ ପୁରନ୍ଦର ନନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି । ଆଉ ପ୍ରମୋଦ ପୃଷ୍ଟିଙ୍କୁ ବିଏମସି ହେଡ୍ ଅଫିସକୁ ବଦଳି କରାଯାଇଥିବା କୁହାଯାଉଛି । ଜଣେ ସରକାରୀ ଅଫିସର ହୋଇ ଜଣେ ଆଦିବାସୀ ନାବାଳିକାକୁ ଗଲା ୨ବର୍ଷ ଧରି ଘରେ କାମ କରାଉଥିଲେ, ଆଉ ତାଙ୍କରି ଘରେ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ ଭଳି ଅମାନବୀୟ ଘଟଣା ଘଟିଲା । ତା ପରେ ବି ସଂପୃ୍କ୍ତ ସରକାରୀ ବାବୁଙ୍କୁ ଏପର୍ଯ୍ୟନ୍ତ ଗିରଫ ତ ଦୂରର କଥା, ଚାକିରିରୁ ବହିସ୍କାର ମଧ୍ୟ କରାଯାଇନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ୍ । ଅଭିଯୁକ୍ତ ଓଏଏସ୍ ବାବୁଙ୍କ କିଏ ଓ କାହିଁକି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ତାହା ବୁଝା ପଡ଼ୁନି ।