ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କେନ୍ଦ୍ରମନ୍ତ୍ରୀଙ୍କ ନିନ୍ଦା

ମୁମ୍ବାଇ: ଦୁଇ ବର୍ଷ ତଳର ଗୋଟିଏ ଆତ୍ମହତ୍ୟା ମାମଲାରେ ଆଜି ପୁଲିସ୍ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ତେବେ ଅର୍ଣ୍ଣବଙ୍କ ଗିରଫଦାରୀକୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା କଡ଼ା ନିନ୍ଦା କରିଛନ୍ତି। ଏଥିସହ ମହାରାଷ୍ଟ୍ରରେ ଅଘୋଷିତ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି କହିଛନ୍ତି, “କଂଗ୍ରେସ ଓ ତା’ର ସହଯୋଗୀ ପୁଣିଥରେ ଗଣତନ୍ତ୍ରକୁ ଅପମାନିତ କରିଛନ୍ତି। ସେମାନେ ଖୋଲାଖୋଲି ଭାବେ ରାଜ୍ୟ କ୍ଷମତାକୁ ରିପବ୍ଲିକ ଟିଭି ଓ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପବ୍ୟବହାର କରିଛନ୍ତି। ଏପରି କରି ସେମାନେ ବ୍ୟକ୍ତିଗତ ସ୍ୱାଧୀନତା ଓ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭକୁ ଆକ୍ରମଣ କରିଛନ୍ତି। ଏହା ଆମକୁ ଜରୁରୀ କାଳୀନ ସ୍ଥିତିର କଥାକୁ ମନେ ପକାଇ ଦେଇଛି। ମୁକ୍ତ ସାମ୍ବାଦିକତା ଜାରି ରହିବା ଦରକାର ଓ ଏହାକୁ ଯେମିତି ହେଲେ ବିରୋଧ କରାଯିବା ଦରକାର।”

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ମହାରାଷ୍ଟ୍ରରେ ପ୍ରେସର ସ୍ୱାଧୀନତା ଉପରେ ହେଉଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ପ୍ରେସକୁ ଏଭଳି ବ୍ୟବହାର କରିବା ଠିକ ନୁହେଁ। ଜରୁରୀ କାଳୀନ ସ୍ଥିତି ସମୟରେ ଏଭଳି ଭାବେ ମିଡିଆକୁ ବ୍ୟବହାର କରାଯାଉଥିଲା। ଏବେ ପୁଣି ସେକଥା ଆମର ମନେ ପଡ଼ିଯାଇଛି।

ଅର୍ଣ୍ଣବଙ୍କ ଗିରଫଦାରୀକୁ କେବଳ ଶାହା କିମ୍ବା ଜାଡେଭକର ନୁହନ୍ତି କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କ, ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ମୁଖପାତ୍ର ସମ୍ବିତ ପାତ୍ର, କେନ୍ଦ୍ରମନ୍ତ୍ରୀ ଗିରାଜ ସିଂହ, ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପ୍ରମୁଖ ତୀବ୍ର ନିନ୍ଦା କରିଛନ୍ତି। ସମସ୍ତେ ଅର୍ଣ୍ଣବଙ୍କ ଗିରଫଦାରୀକୁ ଜରୁରୀ କାଳୀନ ସ୍ଥିତ ସହ ତୁଳନା କରିଛନ୍ତି।

ଆଜି ଅର୍ଣ୍ଣବଙ୍କୁ ଗିରଫ କରିବା ପରେ ପୁଲିସ ତାଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଗିରଫ କରାଯାଇଛି।

ନାଏକ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ଅର୍ଣ୍ଣବ ଗୋସ୍ୱାମୀ ଓ ରିପବ୍ଲିକ ଟିଭି ତାଙ୍କୁ ପ୍ରାପ୍ୟ ନ ଦେଇ ହଇରାଣ କରୁଥିବା ଉଲ୍ଲେଖ କରିଥିଲେ। ଅନଭୟ ନାଏକଙ୍କ ପତ୍ନୀ ଅକ୍ଷତା କହିଛନ୍ତି, ଅର୍ଣ୍ଣବ ସବୁବେଳେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗିରଫ କରିବାକୁ କହୁଥିଲେ।

ହେଲେ ସୁଶାନ୍ତ ମୃତଦେହ ନିକଟରୁ କୌଣସି ପ୍ରକାରର ସୁସାଇଡ ନୋଟ ମିଳି ନଥିଲା। ମୋ ସ୍ୱାମୀ ଆତ୍ମହତ୍ୟା କରିବା ପୂର୍ବରୁ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଅର୍ଣ୍ଣବ ଓ ଆଉ ଦୁଇ ଜଣଙ୍କ ନାଁ ଲେଖିଥିଲେ। ଆଜି ଯାଏ କାହାକୁ ଗିରଫ କରାଯାଇ ନଥିଲା। ଏହା କି ପ୍ରକାରର ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *