ବୋଝ ଉପରେ ନଳିତା ବିଡ଼ା।,କରୋନା କାଳରେ ପରିବାର ଆକାଶ ଛୁଆଁ, ଆଳୁ ୪୫କୁ ପିଆଜ ୭୫
ଭୁବନେଶ୍ବର:- ବୋଝ ଉପରେ ନଳିତା ବିଡ଼ା। ଆଳୁ ୪୫କୁ ପିଆଜ ୭୫। କରୋନା କାଳରେ ପରିବାର ଆକାଶ ଛୁଆଁ ଦର ଲୋକଙ୍କ ମେରୁଦଣ୍ଡ ଭାଙ୍ଗିପକାଇଛି। ଏକ କିଲୋ ବଦଳରେ ଅଢ଼େଇଶ ନେଇ ଘରକୁ ଫେରୁଛନ୍ତି ଗ୍ରାହକ। ନିତ୍ୟ ବ୍ୟବହାର୍ଯ୍ୟ ପନି ପରିବାର ଦରଦାମ ବୃଦ୍ଧି ପାଇଁ ପରିବାର ଚଳାଇବା ବି ମୁସ୍କିଲ ହୋଇପଡ଼ିଛି। କେବଳ ଆଳୁ, ପିଆଜ ନୁହେଁ ବରଂ ଡାଲି, ତେଲ , ରେଟ୍ ଉପରମୁହାଁ। ପଖାଳ କଂସା ପାଇଁ ପିଆଜ ଟିକେ ଯୋଗାଡ଼ ପାଇଁ ଆଉ ସାହାସ ଜୁଟାଇପାରୁନି ଗରିବ ପରିବାରଟିଏ । ସେପଟେ ଧର୍ମମାସ କାର୍ତ୍ତିକରେ ଆମିଷ ବର୍ଜନ କରିଥିବା ଲୋକେ ପରିବା ଦର ଦେଖି ଛାନିଆ । ମାର୍କେଟ୍ରେ କୌଣସି ପରିବା ୫୦ଟଙ୍କା ତଳକୁ ନାହିଁ । ଏଭଳି ପରିସ୍ଥିତିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ରାଜ୍ୟ ଯୋଗାଣ ବିଭାଗ । ବିଭାଗର ନିୟନ୍ତ୍ରଣ ନଥିବାରୁ ମନଇଚ୍ଛା ଦର କଷୁଛନ୍ତି ବେପାରୀ ।
ଯେତେବେଳେ ଏସବୁ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଆମ ରାଜ୍ୟ ଓଡ଼ିଶା ନିର୍ଭରଶୀଳ ସେତେବେଳେ ପ୍ରତିବର୍ଷ ଆମକୁ ଏମିତି ଦରବୃଦ୍ଧିର ସାମ୍ନା କରିବାକୁ ହେଉଛି । ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆଳୁ, ମହାରାଷ୍ଟ୍ର , କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ଭଳି ରାଜ୍ୟରୁ ପିଆଜ ଆସିଲେ ଯାଇ ଆମେ ଖାଉଛନ୍ତି । ଏମିତିରେ ସେସବୁ ରାଜ୍ୟରେ ଚାଷ ପ୍ରଭାବିତ ହେଲେ ଆମ ରାଜ୍ୟରେ ଦର ବଢ଼ିବା ସ୍ବଭାବିକ ବୋଲି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
। ପ୍ରତିବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନର ବାଟ ବାହାର କରିବାରେ ବିଫଳ ହୋଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କଟକରେ ଆଜି ବିକ୍ଷୋଭ କରିଛନ୍ତି କଂଗ୍ରେସ ଆଉ ଏସୟୁସିଆଇ ।ଅନ୍ୟପଟେ ସଆୁବେଳେ ଅନ୍ୟ ଉପରେ ନିର୍ଭର କଲେ ବେଳେ ବେଳେ ଉପାସ ରହିବାକୁ ମଧ୍ୟ ପଡ଼ିପାରେ । ଏକଥାକୁ ବୋଧହୁଏ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବୁଝିନାହାନ୍ତି ।










