ଏବେ କାଶ୍ମୀରରେ କିଣିପାରିବେ ଜମି, ସଂଶୋଧିତ ଭୂମି ଆଇନ ବିଜ୍ଞପ୍ତି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ:-ଜମ୍ମୁ-କାଶ୍ମୀରକୁ ଭାରତର ଭୁଃସ୍ୱର୍ଗ ବୋଲି କୁହାଯାଇଥାଏ । ଏଠାରେ ସ୍ୱପ୍ନର ଘର ତୋଳିବା ପାଇଁ ସମସ୍ତଙ୍କ ଇଚ୍ଛା ଥାଏ । କିନ୍ତୁ ପୁରୁଣା ନିୟମ ଅନୁସାରେ ଲୋକଙ୍କ ଏ ସ୍ୱପ୍ନ ପୂରଣ ହୋଇ ପାରୁ ନ ଥିଲା । ସେଠାକାର ସ୍ଥାନୀୟ ବାସିନ୍ଦାକୁ ଛାଡ଼ିଦେଲେ ଆଉ କାହାକୁ ଘାଟିରେ ଜମି ବା ଘର କିଣିବା ଅନୁମତି ନ ଥିଲା । କିନ୍ତୁ ଏବେ ଏହା ସମ୍ଭବ ହେବ । ଯେକୌଣସି ଭାରତୀୟ ଏଠାରେ ଜମି ବା ଘର କିଣିପାରିବେ । ଧାରା ୩୭୦ ଏବଂ ୩୫ଏର ଉଚ୍ଛେଦ ପରେ ଏ ନେଇ ପଥ ପରିଷ୍କାର ହୋଇଯାଇଛି । ମଙ୍ଗଳବାର ଜମ୍ମୁ କାଶ୍ମୀର ଏବଂ ଲଦାଖ ପାଇଁ ନୂଆ ଭୂମି ଆଇନ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଫଳରେ ଏବେ କାଶ୍ମୀର ଘାଟି ଏବଂ ଲଦାଖରେ ଭାରତୀୟଙ୍କ ଜମି କିଣିବା ସ୍ୱପ୍ନ ପୂରଣ ହେବ ।

ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ତତ୍କାଳ ସଂଶୋଧିତ ଆଇନକୁ କାର୍ଯ୍ୟକାରୀ କରାଯିବ । ଏଯାବତ୍‌ କାଶ୍ମୀରରେ ଜମି କିଣିବା ପାଇଁ ସେଠାକାର ନାଗରିକ ହେବା ବାଧ୍ୟତାମୂଳକ ଥିଲା । ଏବେ ଏହି ବାଧ୍ୟତାମୂଳକ ଆଇନକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ତେବେ ଚାଷ ଜମି ଉପରେ ଏବେ ବି କଟକଣା ରହିବ । କିଛି କ୍ଷେତ୍ରରେ କଟକଣା ଛାଡ଼ କରାଯାଇଛି । ଯେପରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସ୍ଥାପନ ଲାଗି କୃଷି ଜମିକୁ ସ୍ଥାନାନ୍ତର କରାଯାଇପାରିବ । ବଜାର ବିଶେଷଜ୍ଞଙ୍କ ଅନୁସାରେ, ଭୂମି ଆଇନ ପରିବର୍ତ୍ତନ ଦ୍ୱାରା କାଶ୍ମୀର ଘାଟିରେ ଶିଳ୍ପାୟନ ବଢ଼ିବ । ଏଠାକୁ ନିବେଶ ସୁଅ ଛୁଟିବ ।

ନୂଆ ଆଇନକୁ ବିରୋଧ କରି ରାଜନେତା ଉମର ଅବଦୁଲ୍ଲା କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ଭୂମି ଆଇନରେ କରାଯାଇଥିବା ସଂଶୋଧନ ଦ୍ୱାରା ଏଠାରେ ଜମିର ସେଲ୍‌ ଆରମ୍ଭ ହୋଇଯିବ । କ୍ଷୁଦ୍ର ଜମି ମାଲିକ ସମସ୍ୟାର ସମ୍ମୁଖୀନ ହେବେ । ଜମ୍ମୁ କାଶ୍ମୀର ଇତିମଧ୍ୟରେ ରିୟଲ ଇଷ୍ଟେଟ୍‌ ରେଗୁଲେସନ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଆକ୍ଟ (ରେରା)ଅଧୀନରେ ନିୟମାବଳୀ ଜାରି କରିଛି । ଏହା କରିବାରେ ଏହା ଦେଶର ୩୩ ତମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ । ରେରା କାର୍ଯ୍ୟକାରୀ ହେବା ଦ୍ୱାରା ଜମ୍ମୁ କାଶ୍ମୀରର ରିଅଲ ଇଷ୍ଟେଟ୍‌ ଶିଳ୍ପରେ ସ୍ୱଚ୍ଛତା ଆସିବ । ଏଠାକାର ରିଅଲ ଇଷ୍ଟେଟ୍‌ ଶିଳ୍ପରେ ଏକ ନୂଆ ଯୁଗ ଆରମ୍ଭ ହେବ । ଗୃହ କ୍ରେତାଙ୍କ ହିତ ପାଇଁ ଏହା କାର୍ଯ୍ୟ କରିବ । ରିଅଲ ଇଷ୍ଟେଟ୍‌ ଶିଳ୍ପ ନିୟନ୍ତ୍ରିତ ହେବ ଏବଂ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହନ ମିଳିବ।
ନୂଆ ରେରା ନୀତି ଯୋଗୁ ରିଅଲ ଇଷ୍ଟେଟ୍‌ କାରବାରରେ ସ୍ୱଚ୍ଛତା ଆସିବ । ଏହି କେନ୍ଦ୍ରଶାସିତ ଅଞ୍ଚଳର ପୁନର୍ବିକାଶ ହେବ । ଗ୍ରାହକ ନିର୍ଦ୍ଧାରିତ ସମୟରେ ବିଲ୍‌ଡର ସଂସ୍ଥାଠାରୁ ଘର ପାଇବେ ।

ଆନାରକ୍‌ ପ୍ରପର୍ଟି କନ୍‌ସଲ୍‌ଟାଣ୍ଟ୍‌ସର ଅଧ୍ୟକ୍ଷ ଅନୂଜ ପୁରୀଙ୍କ କହିବାନୁସାରେ, କାଶ୍ମୀର ଏହାର ନିଜସ୍ୱ ରିୟଲ ଇଷ୍ଟେଟ୍‌ ରେଗୁଲେସନ୍‌ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଆକ୍ଟ (ରେରା) ନୀତି ଆଣିବା ଦ୍ୱାରା ଗ୍ରାହକ ଉପକୃତ ହେବେ ।
ଟାୟାର-୨ ଏବଂ ଟାୟାର୍‌-୩ ସହରଗୁଡ଼ିକ ଏବେ ଆକର୍ଷଣୀୟ ରିଅଲିଟି ସ୍ଥଳ ପାଲଟିଛନ୍ତି । ଏଭଳି କ୍ଷେତ୍ରରେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗକୁ ଏଠାରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବାକୁ ଯାଉଛି । କେନ୍ଦ୍ର ସରକାର ଏହାର ବିକାଶ ଦିଗରେ ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି । ତେଣୁ ଏଠାରେ ଘର କିଣିବା ଉଚିତ ହେବ । କିନ୍ତୁ ବଜାରର ଦିଗ କୁଆଡ଼େ ଯାଉଛି ତାହାକୁ ଦେଖିବା ପରେ ଆଗକୁ ବଢ଼ିବା ଦରକାର ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ସ୍ମାର୍ଟ ସହର ପ୍ରକଳ୍ପ ଅଧୀନରେ ଅନେକ ଛୋଟ ଛୋଟ ସହର ଟାୟାର ୧ ସହରଗୁଡ଼ିକର ସମକକ୍ଷ ହୋଇଛନ୍ତି । ଏସବୁ କ୍ଷୁଦ୍ର ସହରଗୁଡ଼ିକର ସାମଗ୍ରିକ ବିକାଶ ଘଟିଥିବା ପୁରୀ କହିଛନ୍ତି । ଭବିଷ୍ୟତ ପାଇଁ କାଶ୍ମୀରରେ ସୁଯୋଗ ରହିଛି । ଆଗକୁ ଏଠାରେ ରିଅଲ ଇଷ୍ଟେଟ୍‌ ଶିଳ୍ପର ଦ୍ରୁତ ବିକାଶ ହେବ । ବଜାର ଯେହେତୁ ନବଜାତ ସ୍ଥିତିରେ ଅଛି ତେଣୁ ଏଠାରେ ରିଅଲ ଇଷ୍ଟେଟ୍‌ ପ୍ରପର୍ଟି ଦର କ’ଣ ରହିବ ତାହା ଏବେଠାରୁ କହି ହେବ ନାହିଁ । ତେଣୁ ନିବେଶକମାନଙ୍କୁ କିଛିଟା ଧୈର୍ଯ୍ୟ ଧରିବାକୁ ପଡ଼ିବ ବୋଲି କହିଛନ୍ତି ନାଇଟ୍‌ ଫ୍ରାଙ୍କ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଭାଲୁଏସନ ଏବଂ ଆଡ୍‌ଭାଇଜରି, ରିଟେଲ୍‌ ଏବଂ ହସ୍‌ପିଟାଲିଟି) ଗୁଲାମ ଜିଆ । ସୁରକ୍ଷା ଦୃଷ୍ଟିକୋଣରୁ କିଛିଟା ଚିନ୍ତା ରହିବ ବୋଲି ସେ କହିଛନ୍ତି । ତେବେ ସ୍ଥାନୀୟ କମ୍ପାନିଗୁଡ଼ିକ ସହ ଯୌଥ ଉଦ୍ୟୋଗ କରି ଏହି ବଜାରରେ ପ୍ରବେଶ କରିବା ଠିକ୍‌ ହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *