ନବରାତ୍ରିର ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜା

ମାଆ ଦୁର୍ଗାଙ୍କ ତୃତୀୟ ସ୍ବରୂପ ହେଉଛନ୍ତି- ଚନ୍ଦ୍ରଘଣ୍ଟା । ନବରାତ୍ରିର ତୃତୀୟ ଦିନ ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଏ । ଅସୁର ବିନାଶ ପାଇଁ ମାଆ ଦୁର୍ଗାଙ୍କ ତୃତୀୟ ରୂପ ଭାବେ ଦେବୀ ଚନ୍ଦ୍ରଘଣ୍ଟା ପ୍ରକଟ ହୋଇଥିଲେ । ଦେବୀ ଚନ୍ଦ୍ରଘଣ୍ଟା ରାକ୍ଷସ ସଂହାର କରି ଦେବତାଙ୍କୁ ତାଙ୍କର ଭାଗ ପ୍ରଦାନ କରିଥିଲେ । ଦେବୀ ସମ୍ପୂର୍ଣ୍ଣ ଜଗତର ଦୁଃଖ ନାଶ କରିଥାଆନ୍ତି । ତାଙ୍କ ପୂଜା ଦ୍ୱାରା ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ ହୁଏ । ଏଥିପାଇଁ ନବରାତ୍ରିର ତୃତୀୟ ଦିନରେ ଏହି ପୂଜାକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି ।

ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶରୀର ସୁନା ଭଳି ତେଜମୟ । ତାଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି, ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଇଥାଏ । ତାଙ୍କର ୧୦ଟି ଭୁଜ ରହିଛି । ଭୁଜ ସବୁରେ କମଳ, ଧନୁତୀର, କମଣ୍ଡଳୁ, ଖଣ୍ଡା, ତ୍ରିଶୂଳ ଓ ଗଦା ରହିଛି । ତାଙ୍କ କଣ୍ଠରେ ଧଳାଫୁଲର ମାଳା । ରତ୍ନଜଡ଼ିତ ମୁକୁଟ ମଥାରେ ଶୋଭା ପାଉଥାଏ । ଦେବୀ ଚନ୍ଦ୍ରଘଣ୍ଟା ଭକ୍ତଙ୍କୁ ଅଭୟ ଦେଉଥିବା କଲ୍ୟାଣକାରୀ ଦେବୀ । ତାଙ୍କର ରୂପ ଓ ଗୁଣ ଅନୁସାରେ ତାଙ୍କୁ ପୂଜା କରାଯାଏ ।

ଚନ୍ଦ୍ରଘଣ୍ଟା ଶକ୍ତିର ପୂଜା ଓ ସାଧନା ଦ୍ୱାରା ମଣିପୁର ଚକ୍ର ଜାଗ୍ରତ ହୋଇଥାଏ । ତାଙ୍କୁ ପୂଜା କରିବା ଦ୍ୱାରା ବୀରତା-ନିର୍ଭରତା ସହ ସୌମ୍ୟତା ଓ ବିନମ୍ରତାର ବିକାଶ ହୋଇଥାଏ । ତାଙ୍କୁ ପୂଜା କରିବାଦ୍ୱାରା ମୁଖ, ନେତ୍ର ଓ ସମ୍ପୂର୍ଣ୍ଣ ଶରୀରରେ ଉଜ୍ଜ୍ୱଳତା ବଢ଼ିଥାଏ । କଣ୍ଠସ୍ୱର ଦିବ୍ୟ ଓ ମଧୁର ହୋଇଥାଏ । ଚନ୍ଦ୍ରଘଣ୍ଟାଙ୍କ ପୂଜା ଦ୍ୱାରା ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ । ମାଆଙ୍କ କୃପାରୁ ସବୁ ପାପ ଓ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ । ଭକ୍ତଙ୍କ କଷ୍ଟ ଖୁବ୍‌ ଶୀଘ୍ର ନିବାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *