ଫେବୃଆରୀ ୨୦୨୧ରେ ଭାରତରୁ ସମାପ୍ତ ହେବ କରୋନା

ନୂଆଦିଲ୍ଲୀ:- ଭାରତରେ କରୋନା ଭାଇରସ ସଂକ୍ରମଣ ଏବେ ପିକ୍‌ରୁ ତଳମୁହାଁ ହେଉଛି। ସରକାରଙ୍କ ଦ୍ୱାରା ଗଠିତ ବୈଜ୍ଞାନିକଙ୍କ ଏକ ପ୍ୟାନେଲ ଏହା କହିଛନ୍ତି। ପ୍ୟାନେଲଙ୍କ ଆକଳନ ଅନୁସାରେ ଆସନ୍ତା ଫେବୃଆରୀ ୨୦୨୧ ବେଳକୁ ହୁଏତ ଦେଶରୁ କରୋନା ଭାଇରସ ମହାମାରୀ ବିଦାୟ ନେଇ ସାରିଥିବ। ଦେଶରେ କରୋନା ସକ୍ରିୟ ଥିବା ବେଳେ ହାରାହାରି ୧୦.୬ ନିୟୁତ ଅର୍ଥାତ ୧ କୋଟି ୬ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ପ୍ୟାନେଲ ଆଶଙ୍କା ପ୍ରକାଶ କରିଛନ୍ତି।ଭାରତରେ ଏବେ ୭୫ଲକ୍ଷ ଆକ୍ଟିଭ କେସ୍‌ ରହିଛି। ଏଣୁ ଫେବୃଆରୀରେ ଦେଶରୁ କରୋନାକୁ ବିଦାୟ ଦେବାକୁ ହେଲେ ଏଥିଲାଗି ଅବଲମ୍ବନ କରାଯାଉଥିବା  ଉପାୟ  କଡାକଡି ପାଳନ କରାଯିବା ଜରୁରି ବୋଲି ବୈଜ୍ଞାନିକମାନେ କହିଛନ୍ତି। ମହାମାରୀର ଧାରାକୁ ମ୍ୟାପିଂ କରିବା ଲାଗି ବୈଜ୍ଞାନିକମାନେ କମ୍ପ୍ୟୁଟର ମଡେଲର ବ୍ୟବହାର କରିଛନ୍ତି। ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡା.କେ.ବିଜୟ ରାଘବନ ଦେଶରେ କରୋନା ଟ୍ରାକିଂ ଲାଗି ଏହି ପ୍ୟାନେଲ ଗଠନ କରିଥିଲେ। ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍.ବିଦ୍ୟାସାଗର ଏହାର ନେତୃତ୍ୱ ନେଇଥିଲେ।

ମାର୍ଚ୍ଚରେ ଲକଡାଉନ କରାଯାଇ ନଥିଲେ ୨୫ଲକ୍ଷରେ ପହଞ୍ଚିଥାନ୍ତା ମୃତ୍ୟୁ ସଂଖ୍ୟା
କରୋନା ଭାଇରସ ମହାମାରୀକୁ ଦେଶରେ ଆୟତ୍ତ କରିବା ଲାଗି ସରକାର ତ୍ୱରିତ ପଦକ୍ଷେପ ନେଇଥିଲେ। ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ଜାତୀୟ ଲକଡାଉନ୍‌ ଘୋଷଣା କରାଯିବା ପରେ ଏହାକୁ ପର୍ଯ୍ୟାୟକ୍ରମେ ସମ୍ପ୍ରସାରିତ କରାଯାଇଥିଲା। ଯଦି ସରକାର ସଠିକ ସମୟରେ ସଠିକ ପଦକ୍ଷେପ ନେଇ ନଥାନ୍ତେ ତେବେ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ଟପି ସାରନ୍ତାଣି। ଦେଶରେ ଏପର୍ଯ୍ୟନ୍ତ ମୋଟ କୋଭିଡ-୧୯ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାରରେ ପହଞ୍ଚିଛି।

ଟଳିନି ଦ୍ୱିତୀୟ ଲହରର ବିପଦ
କୋଭିଡ ଏକ୍ସପର୍ଟ ପ୍ୟାନେଲର ମୁଖ୍ୟ ତଥା ନୀତି ଆୟୋଗ ସଦସ୍ୟ ଡା.ବି.କେ. ପାଲ ଗତ ୩ ସପ୍ତାହ ହେଲା ଚିହ୍ନଟ ହେଉଥିବା ନୂଆ କୋଭିଡ ମାମଲାରେ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇଥିବା କହିଛନ୍ତି। ତେବେ ଆଗକୁ ଦେଶରେ ଶୀତ ଋତୁ। ଏଣୁ ଦେଶରେ କରୋନା ଦ୍ୱିତୀୟ ଲହର ଆଶଙ୍କାକୁ ଅସ୍ୱୀକାର କରି ହେବନି ବୋଲି କହିଛନ୍ତି। ଡା. ପାଲଙ୍କ ଅନୁସାରେ କରୋନାକୁ ନେଇ ଭାରତର ପରିସ୍ଥିତି ଏବେବି ବିଗିଡି ନାହିଁ।

Leave a Reply

Your email address will not be published. Required fields are marked *