ବିହାର ନାଳନ୍ଦାରେ ଅଜଣା ରୋଗ, ମରୁଛନ୍ତି ଶହଶହ ପ୍ରବାସୀ ପକ୍ଷୀ,
ନାଳନ୍ଦା:-ବିହାର ସରିଫ କୋର୍ଟ ଓ ନିକଟସ୍ଥା ଥାନା ନିକଟରେ ଥିବା ଗଛରେ ଆଶ୍ରୟ ନେଇଥିବା ଶହଶହ ପ୍ରବାସୀ ପକ୍ଷୀ ଅଜଣା ରୋଗରେ ପ୍ରାଣ ହରାଉଥିବା ଜଣାପଡିଛି। ଗଛରୁ ପତ୍ର ଭଳି ଝଡି ପଡିଥିବା ପକ୍ଷୀଙ୍କୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚିତ କରିଥିଲେ । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତ ପକ୍ଷୀଙ୍କୁ ଏକତ୍ର କରି ପରୀକ୍ଷା ଲାଗି ପଠାଇଛନ୍ତି। ଏହା ସହ ଲୋକଙ୍କୁ ଏପରି ପକ୍ଷୀଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି।ଡିଏଫଓ କେ.ନିଶାମଣି ପକ୍ଷୀଙ୍କ ନମୁନା କୋଲକାତା ଲ୍ୟାବକୁ ପଠାଯାଇଥିବା କହିଛନ୍ତି। ଯାଞ୍ଚ ରିପୋର୍ଟ ଆସିବା ପରେ ପକ୍ଷୀଙ୍କ ମୃତ୍ୟର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି। ଏଠାରେ ମରିପଡିଥିବା ଅଧିକାଂଶ ପକ୍ଷୀ ଏସିୟାନ ଓପନବିଲ ପ୍ରଜାତିର ବୋଲି ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି। ନାଳନ୍ଦା ଜିଲ୍ଲାର କେବଳ ବିହାର ସରିଫରେ ଏପରି ପକ୍ଷୀ ମୃତ୍ୟୁ ସୂଚନା ମିଳିଛି। ତେବେ ଅନ୍ୟ କୌଣସି ସ୍ଥାନରୁ ଏପରି ସୂଚନା ଆସି ନାହିଁ।ଘଟଣା ଜଣାପଡିବା ପରେ ବନ ବିଭାଗ ଏ ନେଇ ତତ୍ପରତା ପ୍ରକାଶ କରିଛନ୍ତି। କର୍ମଚାରୀମାନେ ଅନ୍ୟାନ୍ୟ ସ୍ଥାନରେ ପକ୍ଷୀମୃତ୍ୟୁ ହେଉଛି କି ନା ତାର ତଦନ୍ତ କରୁଛନ୍ତି। ଆଗକୁ ଶୀତ ଋତୁ ଏଣୁ ପକ୍ଷୀଙ୍କ ଠାରେ ବିଭିନ୍ନ ରୋଗ ଦେବାର ଆଶଙ୍କା ରହିଛି। ଯାହା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ତେବେ ବିହାରରେ କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ପକ୍ଷୀଙ୍କ ମୃତ୍ୟୁ ଲୋକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।