ନଦୀକୁ ଡେଇଁବାର ୭୨ ଘଣ୍ଟା ପରେ ମିଳିଲା ସାନ ଭଉଣୀଙ୍କ ମୃତଦେହ
ବଲାଙ୍ଗିର :– ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅଡ୍ଡା ତେଲ ନଦୀରୁ ମିଳିଛି ମୃତଦେହ । ଏବେ ବି ବଡ ଭଉଣୀ ଅନମୋଲ ଅଗ୍ରୱାଲ ନିଖୋଜ ଅଛନ୍ତି ।ଗତ ୧୫ ତାରିଖରେ ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ ଉପରୁ ନଦୀକୁ ଡେଇଁ ପଡିଥିଲେ ଗୁଡ ଭେଲା ଗାଁର ବଡ ଭଉଣୀ ଅନମୋଲ ଓ ସାନ ଭଉଣୀ ଆଞ୍ଚଲ । ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଖୋଜ ହେବା ଘଟଣାର ୭୨ ଘଣ୍ଟା ପରେ ସାନ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏଯାଏଁ ବଡ ଭଉଣୀଙ୍କ କୌଣସି ପତ୍ତା ମିଳିପାରିନାହିଁ ।ସେପଟେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ଅନ୍ୟ ଜଣେ ଭଉଣୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସ୍କୁବା ଡାଇଭର ଦୁଇଟି ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି କରୁଛନ୍ତି ।ଅନ୍ୟପଟେ ଏଯାଏଁ ଦୁଇ ଭଉଣୀ ଏଭଳି ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କାହିଁକି କଲେ ତାର କୌଣସି କାରଣ ଜଣାପଡିନାହିଁ । ତେବେ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ କିଛି ଠୋସ୍ ସୁରାକ ନ ଥିଲେ ମଧ୍ୟ ପାରିବାରିକ କଳହକୁ ନେଇ ଏପରି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରି ତଦନ୍ତ କରୁଛି ।