କ୍ୱାରେନଟାଇନ ସେଂଟର ନାଁ ଗାଇଗୁହାଳ !! ୧୧ କେନ୍ଦ୍ରରେ ତାଲା ଝୁଲୁଛି

ବାଲିଅନ୍ତା:-ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ୧୧ଟି କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଆଉ କିଛି କେନ୍ଦ୍ର ଗୁହାଳ ଘର ପାଲଟିଛି। କେନ୍ଦ୍ରକୁ ଲାଗି ରହିଥିବା ପରିତ୍ୟକ୍ତ ଶ୍ରେଣୀଗୃହରେ ଗୃହପାଳିତ ପଶୁ ବନ୍ଧା ଯାଉଛନ୍ତି। ଜାଳେଣୀ ରଖାଯାଉଛି। ସଂଗରୋଧ କେନ୍ଦ୍ର ସାମ୍ନାରେ ଗୋବର ଗଦା କରି ଘଷି ପରା ଯାଉଛି। ସ୍କୁଲ ହତାରେ ଦେଶୀ ଓ ବିଦେଶୀ ମଦ ବୋତଲ ବି ଗଡ଼ୁଛି। କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ସରପଞ୍ଚ, ୱାର୍ଡସଭ୍ୟ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ ଏବଂ ଶିକ୍ଷକ ସବୁ ଜାଣି ସୁଦ୍ଧା ଚୁପ୍‌ ରହୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କେନ୍ଦ୍ର ତଦାରଖ ଦାୟିତ୍ବରେ ଥିବା ବ୍ଲକ କର୍ତୃପକ୍ଷ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ତଦନ୍ତରେ ଢିଲା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ସଚେତନ ନାଗରିକ ଅଭିଯୋଗ କରିଛନ୍ତି।ବଇଁଚୁଆ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ବେଳେ ସ୍ଥାନୀୟ ପ୍ରତିନିଧିଙ୍କ ନଜରରେ ଏହା ପଡ଼ିଥିଲା। ଖବର ପାଇବା ପରେ ସରପଞ୍ଚ ଏନେଇ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ପଞ୍ଚାୟତରେ ପଞ୍ଜୀକୃତ ପ୍ରବାସୀଙ୍କ ମଧ୍ୟରୁ କେହି ଆସି ନଥିବାରୁ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖାଯାଇଥିଲା। ଅନ୍ୟ ଏକ ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ବିଶ୍ରାମ ନେଇଥିଲେ। ସ୍କୁଲ ଗେଟ୍‌ ଖୋଲା ପଡ଼ିବା ସହ ଫନି ପରଠୁ ଗୋଟିଏ ପାର୍ଶ୍ବ ମେଲା ରହିଥିବାରୁ ଲୋକଙ୍କ ଅବାଧ ପ୍ରବେଶ ସମସ୍ୟା ନେଇ ସେ ଅସହାୟତା ପ୍ରକାଶ କରିଥିଲେ। ବଇଁଚୁଆ ପଞ୍ଚାୟତ ଭଳି ଅନ୍ୟ ୧୦ଟି ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ମଧ୍ୟ ସମାନ ସ୍ଥିତି। ଏଠାକୁ ଜଣେ ହେଲେ ପ୍ରବାସୀ ଆସି ନଥିବାରୁ ତାଲା ଝୁଲୁଛି। ଦାୟିତ୍ବରେ ଥିବା କୌଣସି ସଂଗରୋଧ କର୍ମଚାରୀଙ୍କୁ ଦେଖିବାକୁ ମିଳୁନାହିଁ। ହେଲେ ରାତି ହେଲେ ସଂଗରୋଧ କେନ୍ଦ୍ରରେ ଖଟି ଜମୁଥିବା କୁହାଯାଉଛି। କେନ୍ଦ୍ରରେ ସବୁ ସୁବିଧା ଉପଲବ୍ଧ ଥିବାରୁ କିଛି ପଞ୍ଚାୟତରେ ଭୋଜିଭାତ ଆସର ଜମୁଛି। ବିଳମ୍ବିତ ରାତି ଯାଏ ତାସ ଓ ଲୁଡ଼ୁ ଖେଳ ଚାଲୁଛି। ରାତିରେ କୌଣସି ଅଧିକାରୀ କେନ୍ଦ୍ର ପରିଦର୍ଶନର ଭୟ ନଥିବାରୁ ଲୋକଙ୍କ ଗହଳିଚହଳି ରହୁଛି। 

Leave a Reply

Your email address will not be published. Required fields are marked *