ବିସ୍ଫୋରଣ ଛଡ଼ାଇ ନେଲା ପରିବାରର ସୁଖ,ସ୍ତ୍ରୀ ହରାଇଲେ ସ୍ବାମୀଙ୍କୁ, ମାଆ ହରାଇଲେ ପୁଅକୁ,
ସାନଖେମୁଣ୍ଡି:-ଭୁବନେଶ୍ବରସ୍ଥିତ ପେଟ୍ରୋଲ ପମ୍ପରେ ବଡ ଧରଣର ବିସ୍ଫୋରଣ ଛଡ଼ାଇ ନେଲା ଗୋଟେ ପରିବାରର ଭାତ ହାଣ୍ଡି। ଏହି ଦୁର୍ଘଟଣାରେ ୧୦/୧୨ ଜଣ ଆହାତ ହୋଇଥିବା ବେଳେ ୩/୪ ଜଣ ଗୁରୁତର ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବ୍ୟକ୍ତି ହେଲେ ଆସିକା ରଘୁନାଥ ନଗରର ୩୭ ବର୍ଷୀୟ ସତ୍ୟ ନାୟକ। ସତ୍ୟଙ୍କ ମୃତ୍ୟୁ ଖବରରେ ପୁରା ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ପରିବାରର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ପରିବାର ଭିତରେ ସତ୍ୟ ଥିଲେ, ଏକମାତ୍ର ରୋଜଗାରିଆ ପୁଅ। ସ୍ତ୍ରୀ, ସାତ ବର୍ଷର ପୁଅ ଏବଂ ବୃଦ୍ଧା ମାଆଙ୍କ ସହ ମିଶି ଚାରି ପ୍ରାଣୀ କୁଟୁମ୍ବଙ୍କ ଭରଣପୋଷଣ କରୁଥିଲେ ସତ୍ୟ। କରୋନା କଟକଣା ଯୋଗୁଁ କାମଧନ୍ଦା କରି କିଛି ରୋଜଗାର କରିବା ଆଶାରେ ଭୁବନେଶ୍ବର ଆସିଥିଲେ ସତ୍ୟ। ଗତ ୧୨ ଦିନ ତଳେ ସେ ଭୁବନେଶ୍ବରରେ ପହଁଞ୍ଚି ପେଟ୍ରୋଲ ପମ୍ପରେ କାମ କରୁଥିଲେ। ଗତକାଲି ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ସବୁଦିନ ଆଖି ବୁଜି ଦେଇଛନ୍ତି ସତ୍ୟ।
ବର୍ତ୍ତମାନ ପରିବାର ଭିତରେ କାନ୍ଦ ବୋବାଳି ପଡିଛି। ଗାଁରେ ଶୂନଶବ୍ଦ ନାହିଁ। ସ୍ବାମୀଙ୍କୁ ହରାଇ ସ୍ତ୍ରୀ କାନ୍ଦୁଛି, ବାପାଙ୍କୁ ହରାଇ ପିଲାମାନେ କାନ୍ଦୁଛନ୍ତି ହେଲେ ପୁଅର ମୃତ୍ୟୁ ଖବର ଏପର୍ଯ୍ୟନ୍ତ ବୃଦ୍ଧା ମାଆଙ୍କୁ ଦିଆଯାଇ ନାହିଁ। ବାପାଙ୍କ ମୃତ୍ୟୁ ଖବର ଜାଣିବା ପରେ ଛୋଟ ପିଲାଟି ଲୁଚି ଲୁଚି ବାହୁନି ବାହୁନି କାନ୍ଦୁଛି।