୯ରେ ଲଘୁଚାପ, ୧୧ରୁ ଜୋର ବର୍ଷା
ଭୁବନେଶ୍ବର:–ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସହ ୧୦ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ।
ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ, ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୦ ତାରିଖରେ ଅବପାତରେ ପରିଣତ ହେବ। ଆସନ୍ତା ୧୧ ତାରିଖ ବେଳକୁ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ୫ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା ଏବଂ ଗଞ୍ଜାମ । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜରି କରାଯାଇଛି ।
ଅନ୍ୟପଟେ ୬ଟି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୬ଟି ଜିଲ୍ଲା ହେଉଛି ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର, କଳାହଣ୍ଡି ଏବଂ ନବରଙ୍ଗପୁର ।
ଲଘୁଚାପ ଅବପାତରେ ପରିଣତ ହେବା ପରେ ସମୁଦ୍ର ଉପକୂଳରେ ଘଣ୍ଟାପ୍ରତି ୪୪ରୁ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।