ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: କ୍ରାଇମ୍ବ୍ରାଞ୍ଚର ତଦନ୍ତ ଆରମ୍ଭ
ଭୁବନେଶ୍ୱର:–ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା ଏବେ ନୂଆ ମୋଡ଼ ନେଇଛି । ଏହି ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍ବ୍ରାଞ୍ଚ। ଖାଲି ସେତିକି ନୁହେଁ ବୁଧବାର କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଓଟିଭି ଅଫିସ୍କୁ ଯାଇ ଅନେକ ତଥ୍ୟ ସଂଗ୍ରହ କରିଛି। ତା’ଛଡ଼ା କମିଶନରେଟ୍ ପୁଲିସ୍ କ’ଣ ତଦନ୍ତ କରିଛି ସେ ସବୁ କାଗଜପତ୍ର ମଧ୍ୟ ନେଇଛି କ୍ରାଇମ୍ବ୍ରାଞ୍ଚ।
ଓଟିଭି ଅଫିସ୍ରେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଭିଯୋଗ କରିଥିଲେ ଲକ୍ଡାଉନ୍ ସମୟରେ ତାଙ୍କ ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଛି। ଜଣେ ପୁଲିସ୍ କର୍ମଚାରୀଙ୍କ ସହ ୭ ଜଣ ଏହି ଘଟଣାରେ ସାମିଲ ଅଛନ୍ତି। ଏଥିରେ ଓଟିଭିର କିଛି କର୍ମଚାରୀ ମଧ୍ୟ ଅଛନ୍ତି। ପୀଡ଼ିତାର ମା’ ଏ ବିଷୟରେ ପ୍ରଥମେ ଓଟିଭି ଏମ୍ଡି ଜାଗି ମଙ୍ଗତ ପଣ୍ଡାଙ୍କୁ ଜଣାଇଥିଲେ। ଏମ୍ଡି ସବୁ ଜାଣି ଚୁପ୍ ରହିବା ସହ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ମହିଳା ଜଣଙ୍କ କିଛି ଉପାୟ ନ ପାଇ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା। ଖବର ଜଣାପଡ଼ିବା ପରେ ସାରା ଓଡ଼ିଶାରେ ଚଳହ ପଡ଼ିଥିଲା । ପରେ ଶିଶୁ ସୁରକ୍ଷା କମିଶନ ଓ ମହିଳା କମିଶନ ମଧ୍ୟ ଏଥିରେ ମୁଣ୍ଡ ପୂରାଇଥିଲେ । ଶିଶୁ ସୁରକ୍ଷା କମିଶନ ଓଟିଭି ଏମ୍ଡି ଶ୍ରୀମତି ପଣ୍ଡାଙ୍କୁ ନୋଟିସ୍ କରିଥିଲେ । ହେଲେ ସେ ହାଜର ହେଲେ ନାହିଁ କି ପକ୍ଷ ରଖିଲେ ନାହିଁ । ମହିଳା କମିଶନଙ୍କ ନିକଟକୁ ଥରେ ଯାଇଥିଲେ । ଅନ୍ୟ ସମୟରେ ସେ ତାଙ୍କ ପିଆରଓଙ୍କୁ ପଠାଇ ଦେଇଥିଲେ ।
ସେପଟେ ଥାନାରେ ଅଭିଯୋଗ ହେବାର ୩୬ ଦିନ ତଦନ୍ତ କରିବା ପରେ ମଧ୍ୟ କମିଶନରେଟ୍ ପୁଲିସ୍ ଏହି ଘଟଣାରେ କିଛି ଟେର ପାଇ ନଥିଲା । କମିଶନରେଟ୍ ପୁଲିସ୍ର ଜଣେ ଡିସିପି ର୍ୟାଙ୍କ୍ର ଅଫିସର ଏହାର ତଦନ୍ତ କରିଥିଲେ । ୩ ଜଣ ଏସିପି, ୨ ଜଣ ଇନ୍ସପେକ୍ଟର, ୩ ଜଣ ଏସ୍ଆଇ ତାଙ୍କୁ ସହଯୋଗ କରୁଥିଲେ। ତା’ଛଡା ଡିସିପି ଉମାଶଙ୍କର ଦାସ ନିଜେ ମଧ୍ୟ ଏହା ଉପରେ ଅଧିକ ସମୟ ଦେଉଥିଲେ। ହେଲେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନଥିଲେ କି କେଉଁ ମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ତା ମଧ୍ୟ ଲୋକଲୋଚନକୁ ଆଣିପାରିନଥିଲେ। ସେପଟେ ଡିସିପିଙ୍କୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ ରିପୋର୍ଟ ମାଗିଥିଲେ ମହିଳା କମିଶନ। ହେଲେ ରିପୋର୍ଟ ମାଗିବାର ୨୦ ଦିନ ପରେ ମଧ୍ୟ ପୁଲିସ୍ କିଛି ଦେଇ ପାରିନଥିଲେ। ଓଲଟା ସମୟ ମାଗିଥିଲା।
କମିଶନରେଟ୍ ପୁଲିସ୍ର ଢିଲାପଣ ଦେଖି ଅଭିଯୁକ୍ତମାନେ କୋର୍ଟରେ ଆଗୁଆ ଜାମିନ ପାଇଁ ଚକ୍କର କାଟିଲେ । ପୁଲିସ୍ ଏମିତି ତଦନ୍ତ ଦେଖି ପୀଡ଼ିତାଙ୍କ ମା’ ସରକାରଙ୍କ ନିକଟରେ ନେହୁରା ହୋଇଥିଲେ । ଏହାପରେ ସରକାର ଉକ୍ତ ମାମଲାର ତଦନ୍ତ ଭାର କ୍ରାଇମ୍ବ୍ରାଞ୍ଚକୁ ଦେଇଥିଲେ । ବୁଧବାର କ୍ରାଇମ୍ବ୍ରାଞ୍ଚ ମାମଲା ନେଲା ପରେ ଓଟିଭି ଅଫିସ୍ ଯାଇ ପଚରାଉଚରା କରିବା ସହ ୩ ଜଣଙ୍କୁ ନୋଟିସ୍ କରିଛି ।










