ପୂର୍ବତନ ରାଜ୍ୟପାଳ ଅଶ୍ଵିନୀ କୁମାରଙ୍କ ଆତ୍ମହତ୍ୟା,
ସିମଲା:-ପୂର୍ବତନ ରାଜ୍ୟପାଳ, କେନ୍ଦ୍ରୀୟ ଅନ୍ଵେଷଣ ବ୍ୟୁରୋ(ସିବିଆଇ)ର ପୂର୍ବତନ ନିର୍ଦ୍ଦେଶକ ତଥା ହିମାଚଳ ପ୍ରଦେଶର ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ରହିଥିବା ଅଶ୍ଵିନୀ କୁମାର ବୁଝଓ୍ଵାର ଆତ୍ମହତ୍ୟା କରିଛନ୍ତି। ସେ ସିମଲା ସ୍ଥିତ ନିଜ ଘରେ ବେକରେ ଫନ୍ଦା ଲଗାଇ ଆତ୍ମହତ୍ୟା କରିଛନ୍ତି। ସିମଲା ପୋଲିସ ଅଧୀକ୍ଷକ(ଏସପି) ମୋହିତ ଚାଓ୍ଵଲା ଏହାର ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ ଅଶ୍ଵିନୀ ଆତ୍ମହତ୍ୟା କରିଛନ୍ତି। ହେଲେ ତାଙ୍କର ଏମିତି ଚରମ ପଦକ୍ଷେପ ଉଠାଇବା ପଛରେ କାରଣ ଜଣା ପଡିନାହିଁ। ସ୍ଥାନୀୟ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଘଟନା ସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଛି। ସୂତ୍ର ମୁତାବକ ସେ ଗତ କିଛି ସମୟରୁ ମାନସିକ ଅବସାଦରେ ରହୁଥିଲେ।
ହିମାଚଳର ସିରମୌର ବାସିନ୍ଦା ଅଶ୍ଵିନୀ କୁମାର ୧୯୭୩ ବ୍ୟାଚ୍ର ଆଇପିଏସ ଅଫିସର ଥିଲେ। ହିମାଚଳ ପ୍ରଦେଶର ଡିଜିପି, ସିବିଆଇର ନିର୍ଦ୍ଦେଶକ ସମେତ ଅନେକ ପଦରେ ରହି ନିଜର କର୍ତ୍ତବ୍ୟ ସଂପାଦନ କରିଥିଲେ। ଅଶ୍ଵିନୀ ୨୦୦୬ରେ ହିମାଚଳ ପ୍ରଦେଶର ଡିଜିପି ଦାୟିତ୍ଵ ନେବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ଦିଗରେ ଅନେକ ସୁଧାର ଆଣିଥିଲେ।
ଅଶ୍ଵିନ କୁମାର ୨୦୦୮ ଜୁଲାଇରେ ସିବିଆଇର ନିର୍ଦ୍ଦେଶକ ପଦ ଗ୍ରହଣ କରିଥିଲେ। ସେ ସିବିଆଇ ନିର୍ଦ୍ଦେଶକ ହେବାରେ ହିମାଚଳ ପ୍ରଦେଶର ପ୍ରଥମ ଅଫିସର ଥିଲେ। ୨୦୧୩ ମେରେ ୟୁପିଏ ସରକାର ଅମଳରେ ସେ ପ୍ରଥମେ ନାଗାଲାଣ୍ଡର ରାଜ୍ୟପାଳ ଏବଂ ଜୁଲାଇରେ ମଣିପୁରର ରାଜ୍ୟପାଳ ହୋଇଥିଲେ।