ରାଜଧାନୀର ବ୍ୟାଙ୍କ ଲୁଟ ଘଟଣାର ଖୁଲାସା, ଲୁଟେରା ଗିରଫ, କରୋନା ସଜେଇ ଦେଇଥିଲା ଲୁଟେରା
ଭୁବନେଶ୍ୱର:-ରାଜଧାନୀରେ ଘଟିଥିବା ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାର ଖୁଲାସ ହୋଇଛି। ଏହି ଦୁଇଟି ଲୁଟ ମାମଲାରେ ସଂପୂକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ବରିମୁଣ୍ଡ ଅଂଚଳର ସୌମ୍ୟରଂଜନ ଜେନା (୨୫) । ପୁଲିସ ତା’ ନିକଟରୁ ଖେଳଣା ବନ୍ଧୁକ ସହିତ ଓ ଲୁଟ ଟଙ୍କାକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଋଣ ମୁକ୍ତ ହେବାକୁ ଏଭଳି ଲୁଟ କରିଥିଲା । କରୋନା କଟକଣା ଯୋଗୁଁ ସେ ଋଣ ଭାରରେ ବୁଡି ଚିନ୍ତାଗ୍ରସ୍ତ ହୋଇପଡିଥିଲା । ତେବେ କରୋନା ତାଙ୍କୁ ଡକାୟତି ସଜେଇଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ପୁଲିସ ସୂଚନା ଅନୁସାରେ, ସୌମ୍ୟରଂଜନ ଜଣେ ଶିକ୍ଷିତ ଯୁବକ । ତାଙ୍କର ପୂର୍ବରୁ କୌଣସି ଅପରାଧୀକ ରେକର୍ଡ ନାହିଁ । ତାଙ୍କର ଏକ ବ୍ୟବସାୟୀକ ସଂସ୍ଥା ରହିଛି । ଉକ୍ତ ସଂସ୍ଥା ପାଇଁ ସେ ନନ୍ଦନବିହାରରେ ଥିବା ଆଇଓବି ଓ ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରୁ ୠଣ କରିଥିଲେ । ଏବେ ଦୁଇଟି ବ୍ୟାଙ୍କରେ ୧୯ଲକ୍ଷ ଟଙ୍କା ଋଣ ଆଣିଥିବା ବେଳେ ୬ଲକ୍ଷ ଟଙ୍କା ସୁଝିବାକୁ ବାକି ଥିଲା । ସବୁ ଠିକଠାକ ଚାଲିଥିବା ବେଳେ କରୋନା କଟକଣା ଯୋଗୁଁ ତାଙ୍କର ବ୍ୟବସାୟ ଠପ ହୋଇଯାଇଥିଲା । ମାସମାସ ଧରି ଦୋକାନ ବନ୍ଦ ରହିବାରୁ ସେ ଋଣ ପରିଶୋଧ କରି ନପାରି ଚିନ୍ତାରେ ପଡିଯାଇଥିଲେ ।
ଋଣ ସୁଝିବା ପାଇଁ ସେ ବ୍ୟାଙ୍କ ଲୁଟ କରିବାକୁ ଚିନ୍ତା କରିଥିଲେ । ପରେ ୟୁଟ୍ୟୁବରୁ ବ୍ୟାଙ୍କ ଲୁଟର ତରିକା ଶିଖିଥିଲେ । ପରେ ଏକ ଖେଳଣା ବନ୍ଧୁକ କିଣି ତାଙ୍କର ଆକାଉଂଟ ଥିବା ନନ୍ଦନବିହାରରେ ଥିବା ଆଇଓବି ଶାଖାରେ ଅପରେସନ କରିଥିଲେ । ଯେଉଁଥିଲେ ସେ ସଫଳ ହୋଇଥିଲେ । ଅତି ସହଜରେ ବ୍ୟାଙ୍କ ଲୁଟ ହେଉଥିବାରୁ ସେ ଦ୍ୱିତୀୟ ଥର ଏଭଳି କରିବାକୁ ମନ ବଳାଇଥିଲେ । ପରେ ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆରୁ ଲୁଟ କରିଥିଲେ । ସେଥିରେ ମଧ୍ୟ ସଫଳ ହୋଇଥିଲେ । ଯେଉଁ ଦୁଇଟି ବ୍ୟାଙ୍କରୁ ଲୁଟ ହୋଇଥିଲା, ଉକ୍ତ ବ୍ୟାଙ୍କରେ ଅଭିଯୁକ୍ତର ଖାତା ଥିଲା ।
ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ସ୍ପେଶାଲ ସ୍କ୍ୱାଡ ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିରୁ ଜଣେ ହିଁ ଦୁଇଟି ବ୍ୟାଙ୍କରୁ ଲୁଟ କରିଥିବା ପୁଲିସ ସ୍ପଷ୍ଟ ହୋଇଥିଲା । ପରେ ଲୁଟରେ ବ୍ୟବହାର ହୋଇଥିବା ସ୍କୁଟି ଓ ବ୍ୟାଙ୍କ ଋଣ ପରିଶୋଧକୁ ଆଧାର କରି ପୁଲିସ ଅଭିଯୁକ୍ତ ପାଖରେ ପହଁଚିଥିଲା । ଲୁଟ ପରେ ଅଭଯୁକ୍ତ ସ୍ୱଭାବିକ ଭାବେ ଘରେ ରହୁଥିଲା । ତା’ର କୌଣସି ଅପରାଧୀକ ରେକର୍ଡ ନଥିବାରୁ କେହି ତାଙ୍କୁ ସନ୍ଦେହ ମଧ୍ୟ କରୁନଥିଲେ ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ଇନଫୋସିଟି ଥାନା ନନ୍ଦନବିହାରରେ ଥିବା ଆଇଓବିରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା । ଜଣେ ଦୁବୃର୍ତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ କାଉଁଟରରୁ ୨.୭୮ଲକ୍ଷ ଲୁଟ କରି ଚମ୍ପଟ ମାରିଥିଲେ । ସେହିପରି ସେପ୍ଟେମ୍ବର ୨୮ ତାରିଖରେ ମଚେଂଶ୍ୱର ଥାନା ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଡକାୟତି ହୋଇଥିଲା । ଲୁଟେରା ଜଣକ ବ୍ୟାଙ୍କ୍ ଭିତରେ ପଶି ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ନେଇଯାଇଥିଲା ।