ସିବିଆଇ ତଦନ୍ତ ଦାବି କଲେ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପିତା,
ହାଥରସ:–ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଗୁରୁବାର ଦିନ ଅଭିଯୋଗ କରିଛନ୍ତି ଯେ ନିଜ ବୟାନ ବାରମ୍ବାର ବଦଳାଇବାକୁ ଜିଲ୍ଲା ପ୍ରଶାସନ ତାଙ୍କ ଉପରେ ଚାପ ପକାଉଛନ୍ତି । ପୀଡିତାଙ୍କ ପିତା କହିଛନ୍ତି ଯେ ସରକାରୀ ଅଧିକାରୀ ତାଙ୍କ ଉପରେ ଚାପ ପକାଉଛନ୍ତି । ସେ ମାମଲାର ସିବିଆଇ ଯାଞ୍ଚ ଦାବି କରିଛନ୍ତି । ମଙ୍ଗଳ ସକାଳେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ପୀଡିତାଙ୍କ ମୃତ୍ୟୁ ପରେ ସାରା ଦେଶରେ ମାମଲାକୁ ନେଇ ଆକ୍ରୋଶ ଦେଖାଦେଇଛି । ଏପରିକି ଲୋକେ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।
ପୀଡିତାଙ୍କ ପିତା ଦାବି କରିଛନ୍ତି ଯେ ଥାନାକୁ ଯିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା, ଯେଉଁଠାରେ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକାରୀ ତାଙ୍କ ପରିବାରର ୩ ସଦସ୍ୟଙ୍କୁ କିଛି କାଗଜପତ୍ରରେ ଦସ୍ତଖତ କରାଇଥିଲେ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଟ୍ୱିଟରରେ ପୀଡିତାଙ୍କ ପିତାଙ୍କ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ପୀଡିତାଙ୍କ ପିତା କହିଛନ୍ତି ଯେ, ‘ଆମେ ଏଥିରେ ସନ୍ତୁଷ୍ଟ ନୁହଁ, ମୋ ଝିଅ ମାମଲାର ଯାଞ୍ଚ ସିବିଆଇ ଦ୍ୱାରା କରାଯିବା ଉଚିତ ଏବଂ ମାମଲାର ତଦାରଖ ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧୀଶ କରନ୍ତୁ । ଆମେ ଉପରେ ଅଧିକାରୀଙ୍କ ଚାପ ରହିଛି ଏବଂ ଆମକୁ ଆମ ଘରେ ନଜରବନ୍ଦ କରିଦିଆଯାଇଛି । ଗଣମାଧ୍ୟମ ସହ ଆମକୁ ଦେଖା କରିବାକୁ ଦିଆଯାଉନାହିଁ ।’
ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହି ଘଟଣାକ୍ରମ ହୋଇଥିଲା ଯେଉଁଥିରେ ହାଥରସ ଜିଲ୍ଲା ଅଧିକାରୀ ପ୍ରବୀଣ କୁମାର ଲକ୍ଷକାର ପୀଡିତାଙ୍କ ପିତାଙ୍କୁ କହିଛନ୍ତି ଯେ ସେ ଦେଇଥିବା ବୟାନ ଉପରେ କାୟମ ରହିବାକୁ ଚାହୁଁଛନ୍ତି ନା ବଦଳାଇବାକୁ ଚାହୁଁଛନ୍ତି ସେ ସମ୍ବନ୍ଧରେ ସେ ପୁଣିଥରେ ଭାବନ୍ତୁ ।