ବିଧାନସଭା ଦିନକୁ ସାଢ଼େ ୪ ଘଣ୍ଟା – ରହିବନି ପ୍ରଶ୍ନକାଳ
ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଚାଲିବ ବିଧାନସଭା । ମୌସୁମୀ ଅଧିବେଶନ ଦିନକୁ ସର୍ବାଧିକ ସାଢ଼େ ୪ ଘଣ୍ଟା ବସିବ । ସକାଳ ସାଢ଼େ ୧୦ରୁ ଗୋଟାଏ ପୂର୍ବାହ୍ନ ଏବଂ ୩ଟାରୁ ୫ଟା ଅପରାହ୍ନ ଅଧିବେଶନ ବସିବ । ତେବେ ଗୃହରେ ପ୍ରଶ୍ନକାଳ ଆଲୋଚନା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଚସ୍ପତି । ଅଧିବେଶନକୁ କରୋନା ଭୟ ଥିବାରୁ ଆସନ୍ତାକାଲିଠାରୁ ଆରମ୍ଭ ହେବ କରୋନା ପରୀକ୍ଷା ।
ବିଧାନସଭାରେ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର କାର୍ଯ୍ୟବିଧି କେମିତି ରହିବ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସ୍ଥିର ହୋଇଥିଲା ଯେ, ପ୍ରଥମ ଦିନ (୨୯ରେ) ଦିନ ୧୧ ଟାରୁ ଆରମ୍ଭ ହେବ ଅଧିବେଶନ । ସେ ଦିନ କେବଳ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହକୁ ମୁଲତବି ରଖାଯିବ । ଏହାପରେ ଦିନ ସାଢ଼େ ୧୦ରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ମାତ୍ର ଗୃହରେ ପ୍ରଶ୍ନକାଳ ରହିବ ନାହିଁ । କେବଳ ଶୂନ୍ୟକାଳ ଓ ମୁଲତବି ନୋଟିସ୍ ଉପରେ ଆଲୋଚନା ହେବ ବୋଲି ବାଚସ୍ପତି ଡ.ପାତ୍ର ସୂଚନା ଦେଇଛନ୍ତି ।
ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ସାମାଜିକ ଦୂରତା ମଧ୍ୟରେ ବସିବ । ଏଥିପାଇଁ ଦର୍ଶକ ଗ୍ୟାଲେରୀରେ ମଧ୍ୟ ବିଧାୟକଙ୍କ ବସିବା ପାଇଁ ଆସନ ବ୍ୟବସ୍ଥା କରାଯାଇଛି । ମୋଟ ୧୪୫ଟି ଆସନ ବ୍ୟବସ୍ଥା କରାଯାଇଥିଲା ବେଳେ ୬୦ ବର୍ଷରୁ ଉଧ୍ୱର୍ ବିଧାୟକମାନେ ଚାହିଁଲେ ଜିଲ୍ଲା ମୁଖ୍ୟାଳୟ ଏପରିକି ନିଜ ଘରୁ ମଧ୍ୟ ଅଧିବେଶନରେ ଅଂଶ ଗ୍ରହଣ କରିପାରିବେ । ସମସ୍ତ ଆସନ ଆଗରେ କାଚ ଭଳି ପ୍ଲାଷ୍ଟିକ୍ କାନ୍ଥ ଲଗାଯାଇଛି । ଏହା ସଂକ୍ରମଣ ଏଡ଼ାଇବାରେ ସହାୟକ ହେବ । ବିଧାୟକମାନେ ବସିକି ପ୍ରଶ୍ନ ପଚାରି ପାରିବେ ଏବଂ ମନ୍ତ୍ରୀମାନେ ମଧ୍ୟ ଆସନରେ ବସି ଉତ୍ତର ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଛି । ଆସନ୍ତାକାଲିଠାରୁ ବିଧାନସଭା ପରିସରରେ ଆରମ୍ଭ ହେବ କୋଭିଡ୍ ପରୀକ୍ଷା । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନେ ଗୃହକୁ ଯାଇପାରିବେନି ବୋଲି ନିଷ୍ପତ୍ତି ହୋଇଛି ।ଆସନ୍ତା ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର ୭ ଯାଏ ଚାଲିବ । ଏ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ମଝିରେ କେବଳ ଗାନ୍ଧି ଜୟନ୍ତୀ ସରକାରୀ ଛୁଟି ଥିଲା ବେଳେ ରବିବାର ମଧ୍ୟ କାର୍ଯ୍ୟଦିବସ ରହିଛି । କରୋନା ସଂକଟ କାଳରେ ଏ ଅଧିବେଶନ ବସିବାକୁ ଯାଉଥିବାରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଧାନସଭା ସଚିବାଳୟ ନିଷ୍ପତ୍ତି ନେଇଛି । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ବିଧାନସଭାକୁ ଅନୁମତି ମିଳିବନି । ବୈଠକ ବସିବାର ୫ମ ଦିନ ପୁଣି ପରୀକ୍ଷା କରାଯିବ । ଆର୍ଟିପିସିଆର ପଦ୍ଧତିରେ କରୋନା ପରୀକ୍ଷା କରାଯିବ ।