ବାଘକୁ ମାରି ଖାଇଗଲେ ଶିକାରୀ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ
ନୂଆପଡା:-ବାରହା ଫାଶରେ ପଡିଥିବା ବାଘକୁ ମାରି ଖାଇଲେ ଶିକାରୀ । ଯିଏ ମଣିଷ ଶିକାର କରେ ତାକୁ ମାରି ଖାଇବାକୁ ପଛାଇ ନାହାନ୍ତି । ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଧରାବନ୍ଧା ଥାନା ଚିପାଝର ଗାଁରେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବାଘ ଭଳି ଶକ୍ତିଶାଳୀ ହେବାକୁ ଏମାନେ ବାଘ ମାଂସ ଖାଇଥିବା କହିଛନ୍ତି । ବନ ବିଭାଗ ବାଘ ଛାଲ, କିଛି ହାଡ ଏବଂ ନିଶ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ।
ଆପଣ ମଣିଷ ଖିଆ ବାଘ କଥା ଶୁଣିଥିବେ ।ହେଲେ ବାଘଖିଆ ମଣିଷଙ୍କୁ ଭେଟି ନଥିବେ ।ଏମାନେ ହେଲେ ସେଇ ବାଘଖିଆ ମଣିଷ । ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟଜନକ ଓ ଅବିଶ୍ବସନୀୟ ମନେ ହୋଇପାରେ,ମାତ୍ର ଏହା ହିଁ ଘଟିଛି ବାସ୍ତବରେ । ବାଘ ଭଳି ଶକ୍ତିଶାଳୀ ହେବାର ଅନ୍ଧ ବିଶ୍ବାସ ନେଇ ବାଘ ମାରି ଖାଇଛନ୍ତି ନୂଆପଡ଼ା ଜିଲ୍ଲା ଧରାମବନ୍ଧା ଥାନା ଚିପାଝର ଗାଁର କିଛି ବ୍ୟକ୍ତି । ଇଏ ସେଇ ନୂଆପଡ଼ା, ଯେଉଁଠି ୩ ବର୍ଷ ତଳେ ମା’ କୋଳରୁ ଅବୋଧ ଶିଶୁକୁ ଟେକି ନେଇ ଖାଇ ଯାଇଥିଲା କଲରାପତରିଆ ବାଘ । ଆଉ ଏବେ ଏହାର ବିପରୀତ ଘଟଣା ଘଟିଛି । ବନ ବିଭାଗ ସୂଚନା ଅନୁଯାୟୀ ବାରହା ଶିକାର ପାଇଁ ସୁନାବେଡା ଅଭୟାରଣ୍ୟରେ ବିଦ୍ୟୁତ ତାର ବିଛାଇ ଥିଲେ ଏଇ ଅମଣିଷମାନେ । ବାରହା ଫାଶରେ ପଡିଯାଇଥିଲା ବାଘ । ବାଘକୁ ଦେଖି ଏମାନେ ଲୋଭ ସମ୍ବରଣ କରିପାରିନଥିଲେ । ତାକୁ ମାଂସ କରି ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିଲେ । ନଖ, ନିଶ, ଦାନ୍ତକୁ ବି ଭାଗ କରିନେଇଥିଲେ ।
ଗତ ୨୦ ତାରିଖରେ କୌଣସି ସୂଚତ୍ରରୁ ଖବର ପାଇ ନୂଆପଡ଼ା ଏବଂ ଖରିଆର ରୋଡ ବନ କର୍ମଚାରୀ ଚିପାଝର ଗାଁର କରନ ଶବରଙ୍କ ଘରେ ଚଢାଉ କରିଥିଲା । କରନଙ୍କ ଘରୁ ବାଘ ଛାଲ ସହ ମିଳିଥିଲା ୨୦ କେଜି ବାରହା ମାଂସ । ପ୍ରଥମେ ୩ ଏବଂ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଥିଲା ଶିକାର କରି ବାଘ ମାଂସ ଖାଇବା କଥା । ବାଘର ୩ଟି ନିଶ ଏବଂ କିଛି ହାଡ ଜବତ ହୋଇଥିବା ବେଳେ ଦାନ୍ତ ମିଳିପାରିନି । ୭ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୧୩ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି ବନ କର୍ମଚାରୀ ।
ପୂର୍ବରୁ ଶିକାରୀ ମାନେ ବାଘ ଶିକାର କରି ତାହର ଛାଲ ଓ ଦାନ୍ତକୁ ବିକି ଦେଉଥିଲେ ।ଏବେ ତାର ମାଂସକୁ ବି ଖାଇଗଲେ ।ଯଦିଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ମାଳ ମାଳ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ସୁନାବେଡା ଅଭୟାରଣ୍ୟରେ । କିନ୍ତୁ ଶିକାରୀଙ୍କୁ କିଛି ଫରକ ପଡୁନି । ସେମାନେ ଅବାଧ ଶିକାର କରୁଛନ୍ତି । ଯାହା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।