ସ୍କୁଲରେ କଳାକନା ବୁଲାଇଲେ ଚୋର, କମ୍ପ୍ୟୁଟର ଲ୍ୟାବ୍ରୁ ଲୁଟିନେଲେ ମୂଲ୍ୟବାନ ଜିନିଷ
ଆନନ୍ଦପୁର:- କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଶାଳପଡା କ୍ଷେତ୍ରମୋହନ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବରୁ ଚୋରୀ ହୋଇଛି । ଦୁର୍ବୃତ୍ତମାନେ ସ୍କୁଲ ଫାଟକ ତାଲା ଭାଙ୍ଗିବା ପରେ କମ୍ପ୍ୟୁଟର ଲ୍ୟାବରୁ ଗ୍ରୀଲ୍ ଓ କବାଟରେ ପଡିଥିବା ତାଲା ଭାଙ୍ଗି ୧୨ଗୋଟି ମନିଟର, ୨ଟି ସିପିୟୁ, ୟୁପିଏସ୍ ସମେତ ଅନେକ ସାମଗ୍ରୀ ଚୋରୀ କରି ନେଇଛନ୍ତି ।କୌଣସି ଚାରି ଚକିଆ ଜାନରେ ସବୁତକ ସାମଗ୍ରୀ ନେଇଯାଇଥିବା ସ୍କୁଲ ପରିସରରେ ପଡିଥିବା ଗାଡି ଚକ ଚିହ୍ନରୁ ଅନୁମାନ କରାଯାଉଛି । ଚୋରୀ ସମୟରେ ସ୍କୁଲ ପାଚେରୀ କଡରେ ଚୋରମାନେ ପକାଇଥିବା ଏକ ପ୍ରୋଜେକ୍ଟର ଓ ମନିଟର ଷ୍ଟାଣ୍ଡକୁ ଉଦ୍ଧାର କରାଯାଇଛି ।ଦିନ ୧୧ଟା ସମୟରେ ସ୍କୁଲକୁ ଆସିଥିବା ଜଣେ ଶିକ୍ଷକ ଏ ସମ୍ପର୍କରେ ଜାଣିବା ପରେ ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ । ପ୍ରଧାନ ଶିକ୍ଷକ ପୋଲିସକୁ ଜଣାଇବାପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।