ରାଜ୍ୟସଭାର ନିଲମ୍ବନ ସଦସ୍ୟଙ୍କ ସମର୍ଥନରେ ଲୋକସଭା ଅଧିବେଶନକୁ ବହିଷ୍କାର କଲେ ବିରୋଧୀ
ନୂଆଦିଲ୍ଲୀ :-ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସମର୍ଥନରେ ପୂରା ବିରୋଧୀ ଏକଜୁଟ୍ ହୋଇ ଯାଇଛନ୍ତି। କଂଗ୍ରେସ ନେତୃତ୍ଵରେ ବିରୋଧୀ ସାଂସଦ ଲୋକସଭା ଅଧିବେଶନକୁ ବହିଷ୍କାର କରଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କୃଷକଙ୍କ ସଂପର୍କିତ ପ୍ରସଙ୍ଗରେ ଆମ ପାର୍ଟି ଏବଂ ସମସ୍ତ ବିରୋଧୀ ଦଳ ଲୋକସଭାର ଗୃହକାର୍ଯ୍ୟକୁ ବହିଷ୍କାର କରୁଛୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା କହିଛନ୍ତି ସରକାର ଓ ବିରୋଧୀଙ୍କୁ ଏକାଠି ବସି ଗୃହ କେମିତି ଚାଲିବ ଆଲୋଚନା କରିବା ଉଚିତ୍।
ଏହା ପୂର୍ବରୁ ରାଜ୍ୟସଭାରେ ମଙ୍ଗଳବାର କଂଗ୍ରେସ ନେତୃତ୍ଵରେ ଅନେକ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି ଏବଂ ଆଠ ବିରୋଧୀ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସରକାର କହିଛନ୍ତି ମର୍ଯ୍ୟାଦାହୀନ ବ୍ୟବହାର କରିଥିବା ସାଂସଦଙ୍କୁ ପ୍ରଥମେ କ୍ଷମା ମାଗିବା ଉଚିତ୍। ଏହା ପରେ ଯାଇ ସେମାନଙ୍କର ନିଲମ୍ବନ ରଦ୍ଦ ଉପରେ ବିଚାର କରାଯିବ।
ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ଆଠ ନିଲମ୍ବିତ ସାଂସଦଙ୍କ ନିଲମ୍ଵନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।