ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ୍ ଆଇଜି ଦାଇତ୍ୱ
ଭୁବନେଶ୍ୱର:–୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ରାଜ୍ୟ ସରକାରକୁ ଅବଗତ କରାଯିବା ସହ ତାଙ୍କୁ ରିଲିଭ୍ କରିବା ନିମନ୍ତେ କୁହାଯାଇଛି। ଏପଟେ କେନ୍ଦ୍ରରୁ ଡେପୁଟେସନ ସାରି ଫେରିଥିବା ଓଡ଼ିଶା କ୍ୟାଡ଼ରର ୫ଜଣ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁସଚିବ ଅଞ୍ଜନ ସର୍କାର ଆଜି ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ମିଳିଥିବା ସମ୍ପର୍କରେ ଅବଗତ କରାଇଛନ୍ତି। ତାଙ୍କୁ ଦାୟିତ୍ୱ ନେବା ଦିନଠୁ ୫ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ରହିବେ, ତେଣୁ ତାଙ୍କୁ ରିଲିଭ୍ କଲେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ତାଙ୍କ ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି କହିଛନ୍ତି। ଏପଟେ କେନ୍ଦ୍ର ସରକାରରୁ ଡେପୁଟେସନରୁ ଫେରିଥିବା ଓଡ଼ିଶା କ୍ୟାଡ଼ରର ୪ ବରିଷ୍ଠ ଆଇପିଏସ୍ ଓ କ୍ୟାଡ଼ର ପରିବର୍ତ୍ତନ କରିଥିବା ଜଣେ ଆଇପିଏସଙ୍କୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ନିଯୁକ୍ତି ଦେବାରେ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।