୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର :–ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ବଦଳିଛି ପାଗ । ଚାରିଆଡ଼େ ଆକାଶ ମେଘାଚ୍ଛନ୍ନ । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିସ୍ତୃତ ବା ଲଗାଣ ବର୍ଷା ହୋଇନାହିଁ, ତଥାପି ବର୍ଷା ବଢ଼ିବା ଆଶଙ୍କା ଅଛି । ସୋମବାର ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଓ କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।
ପାଣିପାଗ ବିଭାଗର କହିବାନୁଯାୟୀ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ଲଘୁଚାପ ଅଛି । ଏହା ଆସନ୍ତା ୨-୩ ଦିନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇପାରେ ।
ଏହି ଲଘୁଚାପ ପ୍ରଭାବରେ ଅଧିକ ବର୍ଷା ହେବ ୨୧ ତାରିଖ (ସୋମବାର) । ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ ।
ଏହାବାଦ୍ ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ତେବେ ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ସୋମବାର ।
ମଙ୍ଗଳବାର ବର୍ଷା ପରିମାଣ ସାମାନ୍ୟ କମିବା ସମ୍ଭାବନା ଅଛି । ତଥାପି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଲଗାଣ ଓ ଅତି ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ସହ କଚ୍ଚା ଘର ଓ କଚ୍ଚା ରାସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ଅଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ । ସହରୀ ଇଲାକାରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜିପାରେ । ଏ ନେଇ ପ୍ରସ୍ତୁତ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।