ଆଖି ବୁଜିଲା ମାଆ ହାତୀ, ରୀତିନୀତି ସହ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ
ରାଇରଙ୍ଗପୁର:-ମୟୂରଭଞ୍ଜ ଜିଲ୍ଲା ବହଳଦା ରେଞ୍ଜ ଜାମଦା ଫରେଷ୍ଟ ବିଟ୍ ଅଧିନ ଗିରିଆ ଗାଁ ପାଖ ଜଙ୍ଗଲରୁ ଠାବ ହୋଇଥିବା ଅସୁସ୍ଥ ହାତୀଟିର ରବିବାର ମୃତ୍ୟୁ ଘଟିଛି। ଗତ ଗୁରୁବାର ବନ ବିଭାଗ ହାତୀକୁ ଠାବ କରିଥିଲା। ଆଜି ଗାଁ ଲୋକ ରୀତିନୀତି ଅନୁସାରେ ହାତୀଟି ଅନ୍ତିମ ସଂସ୍କାର କରିଛନ୍ତି। ହାତୀଟି ପଡୋଶୀ ରାଜ୍ୟ ଝାଡଖଣ୍ଡ ଜଙ୍ଗଲରୁ ଚାଲି ଆସିଥିଲା।
ଗିରିଆ ଗ୍ରାମର କିଛି ସ୍ଥାନୀୟ ଲୋକେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ ସେଠାରେ ଏକ ଦୁର୍ବଳ ଓ ରୁଗଣ ହାତୀ ଥିବାର ଦେଖି ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଅସୁସ୍ଥ ହାତୀ ଟିକୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ହାତୀର ସ୍ଵାସ୍ଥ୍ୟ ଏବଂ ଗତିବିଧି ଉପରେ ନଜର ରଖିଥିଲେ।ଉଭୟ ଗାଁ ଲୋକେ ଓ ବନବିଭାଗ ହାତୀଟିକୁ ଖାଦ୍ୟ ପାନୀୟ ଯୋଗାଇ ଦେଉଥିଲେ। କିନ୍ତୁ ହଠାତ୍ ଦୁଇ ତିନି ଦିନ ପୂର୍ବରୁ ହାତୀଟି ଖାଇବା ଛାଡ଼ି ଦେଇଥିଲା। ଆଜି ହାତୀଟିର ମୃତ୍ୟୁ ଘଟିଥିଲା। ସେପଟେ ଝାଡ଼ଖଣ୍ଡରୁ ଆସିଥିବା ମାଆ ହାତୀଟିର ବୟସ ଅଧିକ ହୋଇ ଯାଇଥିବାରୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ବନବିଭାଗ ସୂଚନା ଦେଇଥିବା ବେଳେ ଗାଁ ଲୋକେ ଓ ବନବିଭାଗ କର୍ମଚାରୀ ମାନେ ମିଳିତ ଭାବେ ହାତୀଟିର ଶବ ସତ୍କାର କରିଥିଲେ।