ଟୋଲ୍ପ୍ଲାଜାରେ ଚିଲିକା ବିଧାୟକଙ୍କ ଲଙ୍କାକାଣ୍ଡ
ଖୋର୍ଦ୍ଧା, : ନିଜର ଆଚରଣ, ଉଚ୍ଚାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ନେତା ଓ କର୍ମୀଙ୍କୁ ଆକ୍ରମଣ, ମହିଳା ତହସିଲଦାରଙ୍କୁ ଦୁର୍ବ୍ୟବହାର, ସିଡିଏ କର୍ମଚାରୀଙ୍କୁ ଧମକ ଭଳି ଅନେକ ଅଭିଯୋଗ ତାଙ୍କ ନାମରେ ରହିଛି । ଏସବୁର ଚର୍ଚ୍ଚା ଥମିନଥିବା ବେଳେ ଗତକାଲି ରାତ୍ର ପ୍ରାୟ ୧ଟା ୩୦ରେ ଜାତୀୟ ରାଜପଥର ଗୋଡ଼ିପଡ଼ା ଟୋଲ୍ଗେଟ୍ କର୍ମଚାରୀଙ୍କୁ ଅଶ୍ଳୀଳ ଗାଳିଗୁଲଜ କରିବା ଏବଂ ଟୋଲ୍ପ୍ଳାଜାର ଲକ୍ଷାଧିକ ଟଙ୍କା ମୂଲ୍ୟର ଜିନିଷପତ୍ର ଭାଙ୍ଗିବା ଅଭିଯୋଗ ତାଙ୍କ ନାମରେ ଆସିଛି । ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛନ୍ତି ପ୍ରଶାନ୍ତ ।
ଟୋଲ୍ ପ୍ଲାଜା ମ୍ୟାନେଜରଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବିଧାୟକ ଶ୍ରୀ ଜଗଦ୍ଦେବ କାର୍ (ଓଡି୦୨ବିଜି ୫୭୭୫)ରେ ଚିଲିକାରୁ ଫେରୁଥିଲେ । ଉକ୍ତ ସମୟରେ ଅନ୍ୟ ଏକ ଗାଡ଼ିରେ ତାଙ୍କର ୧୦/୧୨ ଜଣ ସହଯୋଗୀ ଥିଲେ । ଗୋଡ଼ିପଡ଼ା ଟୋଲ୍ ପ୍ଲାଜାରେ ଗାଡ଼ିକୁ ଅଟକାଇଥିଲେ । ବିଧାୟକ ଟୋଲ୍ ପ୍ଲାଜାର କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ କରିଥିଲେ । ଏହି ସମୟରେ ବିଧାୟକ ସହଯୋଗୀମାନେ ଟୋଲ୍ପ୍ଳାଜାରେ ବହୁ ମୂଲ୍ୟବାନ ଜିନିଷପତ୍ର ଭଙ୍ଗାରୁଜା କରିଥିବା ମ୍ୟାନେଜର ଜଙ୍କିଆ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଘଟଣା ପରେ ସେଠାରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅନ୍ୟପକ୍ଷରେ ଅଭିଯୋଗକୁ ବିଧାୟକ ଶ୍ରୀ ଜଗଦ୍ଦେବ ଖଣ୍ଡନ କରିଛନ୍ତି । ତାଙ୍କର କହିବା ଅନୁସାରେ ସେ ତାଙ୍କ ନିର୍ବାଚନମଣ୍ଡଳୀରୁ ଫେରିବା ସମୟ ଟୋଲ୍ଗେଟ୍ଠାରୁ ଜଙ୍କିଆ ଯାଏଁ ଲମ୍ବା ଧାଡ଼ିରେ ଅନେକ ଗାଡ଼ି ଥୁଆ ହୋଇଥିବା ଦେଖିଥିଲେ । ଉକ୍ତ ସମୟରେ ୩ଟି ଆମ୍ବୁଲାନ୍ସରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବିଧାୟକ ଦେଖିଥିଲେ । ତେଣୁ ବାଧ୍ୟ ହୋଇ ବହୁ କଷ୍ଟରେ ଟ୍ରାଫିକ ଖାଲି କରି ଗେଟ୍ ନିକଟରେ ପହଞ୍ଚିଥିଲେ । ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀ ଓଭରଲୋଡ଼ିଂ ଆଳ ଦେଖାଇ ଗୋଟିଏ ଗୋଟିଏ ଗାଡ଼ିକୁ ଅଧିକ ସମୟ ଠିଆ କରୁଥିବା ଜାଣିବାକୁ ପାଇଥିଲେ । ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ତାଗିଦ୍ କରିବା ସମେତ ନିଜେ ଉପସ୍ଥିତ ରହି ଆମ୍ବୁଲାନ୍ସ ପାଇଁ ବାଟ ସଫା କରିଥିବା କହିଛନ୍ତି ।