ପ୍ରଥମ ଥର ପାଇଁ ରୋବଟ୍ କଲା କ୍ୟାନସର ସର୍ଜରୀ,
ନୂଆଦିଲ୍ଲୀ:- ଗୋଟିଏ ରୋବଟ୍ ଡାକ୍ତରଙ୍କ ତିନିଟି ଟିମ୍ ସହ ମିଶି କ୍ୟାନସର ରୋଗୀଙ୍କ ସର୍ଜରୀ କରିଛି। କୌଣସି କ୍ୟାନସର ରୋଗୀଙ୍କ ଏଭଳି ସର୍ଜରୀ ପ୍ରଥମ ଥର ପାଇଁ ହୋଇଛି। ରୋବଟ୍ ଚିକିତ୍ସା ଯୋଗୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇଛି।
ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାର ନରଫୋକ ଆଣ୍ଡ ନରଓ୍ବିଚ୍ ୟୁନିଭର୍ସିଟି ହସପିଟାଲର ଡାକ୍ତରମାନେ ଫଇସଲା କରିଥିଲେ ସର୍ଜରୀର ତିନିଟି ପର୍ଯ୍ୟାୟ ଏକ ସଙ୍ଗରେ ପୂରା କରାଯିବ। ସେଥିପାଇଁ ତିନିଟି ଡାକ୍ତର ଟିମ୍ ଓ ରୋବଟ ସମାନ ସମୟରେ ସର୍ଜରୀ ଆରମ୍ଭ କଲେ। ଡେଲି ମେଲ୍ ଅନୁସାରେ ଆଡଭାନ୍ସ ରେକଟଲ କ୍ୟାନ୍ସର ସହ ଲଢ଼ୁଥିବା ୫୩ ବର୍ଷୀୟ ରୋଗୀଙ୍କ ସର୍ଜରୀରେ ଯେଉଁ ରୋବଟକୁ ଡାକ୍ତରମାନେ ନିଯୁକ୍ତ କରିଥିଲେ ତା’ ନାଁ da vinci si। ରୋବଟର ଚାରି ହାତରେ ସର୍ଜିକାଲ ଇନଷ୍ଟ୍ରୁମେଣ୍ଟ୍ ଦିଆଯାଇଥିଲା। ଏହା ସହ ଡାକ୍ତରମାନେ ଜୟଷ୍ଟିକ୍ ଓ ଥ୍ରୀ-ଡି ସ୍କ୍ରିନ୍ ମାଧ୍ୟମରେ ସର୍ଜରୀକୁ କଂଟ୍ରୋଲ କଲେ। ଏହି ରୋବଟର ଦାମ ୯.୫ କୋଟି ଟଙ୍କା।
ଯଦିଓ ଏହି ସର୍ଜରୀ ଜୁଲାଇ ମାସରେ କରାଯାଇଥିଲା। ଏବେ ଏହାର ତଥ୍ୟ ପ୍ରକାଶ କରାଯାଇଛି। ସର୍ଜରୀରେ ସମୁଦାୟ ୧୪ ଜଣ ଡାକ୍ତର ସାମିଲ ହୋଇଥିଲେ। ଏହା ଦ୍ବାରା ଆଗାମୀ ସମୟରେ ଏକସଙ୍ଗରେ ଅନେକ ଡାକ୍ତର କାମ କରିବାର ସମ୍ଭାବନା ଉନ୍ମୁକ୍ତ ହେଲା। ଏହା ପୂର୍ବରୁ ଆଡଭାନ୍ସ ରେକଟଲ କ୍ୟାନସର ସର୍ଜରୀ ଭିନ୍ନ ଭିନ୍ନ ସିଫ୍ଟରେ ହୋଇଥାଏ। ଅର୍ଥାତ ଗୋଟିଏ ଟିମ୍ କାମ ପୂରା କରିବା ପରେ ଅନ୍ୟ ଏକ ଟିମ୍ ସର୍ଜରୀ କାମରେ ଲାଗନ୍ତି। ଏ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏଥର ୧୦ ଘଣ୍ଟାରେ ସର୍ଜରୀ ସଫଳତାପୂର୍ବକ ଶେଷ ହୋଇଛି।