ଚୀନର ନୂଆ ଚାଲବାଜି: ଲାଉଡସ୍ପିକରରେ ପଞ୍ଜାବୀ ଗୀତ ଶୁଣାଉଛି ଡ୍ରାଗନ୍ ସେନା
ନୂଆଦିଲ୍ଲୀ:-ଚୀନ୍ ସେନା ନିଜର ଶତ୍ରୁ ରାଷ୍ଟ୍ର ବିରୋଧରେ ମନସ୍ତାତ୍ତ୍ୱିକ ଯୁଦ୍ଧ ଚଳାଇବାରେ ମାହିର । ଭାରତୀୟ ସେନା ବିରୋଧରେ ସିଏ ଏବେ ଏପରି ନୀତି ଆପଣାଉଛି । ଅଗଷ୍ଟ ୨୯ରୁ ୩୧ ଭିତରେ ଭାରତୀୟ ସେନା ଲଦାଖରେ କିଛି ପର୍ବତ ଶିଖର ଉପରେ କବ୍ଜା କରିବା ପରେ ଚୀନ୍ ସେନା ପ୍ରଥମେ ବଳପ୍ରୟୋଗ କରି ସେଗୁଡିକୁ ଭାରତ କବଳରୁ ଛଡାଇବା ପାଇଁ ଉଦ୍ୟମ କଲା । ମାତ୍ର ସେଥିରେ ବିଫଳ ହେବା ପରେ ଚୀନ୍ ସେନା ଏବେ ଭାରତୀୟ ସେନା ବିରୋଧରେ ରଣନୀତି ବଦଳାଇଛି ।
ଚୀନ୍ ସେନା ଏବେ ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଭାଗରେ ନିୟୋଜିତ ଭାରତୀୟ ସୈନିକଙ୍କୁ ଲାଉଡ୍ସ୍ପିକର ସାହାଯ୍ୟରେ ପଞ୍ଜାବୀ ଗୀତ ଶୁଣାଉଛି । ସେଇ ଅଞ୍ଚଳରେ ଶିଖ୍ ରେଜିମେଣ୍ଟର ସୈନିକ ନିୟୋଜିତ ଅଛନ୍ତି ବୋଲି ସିଏ ମନେ କରୁଛି । ପଞ୍ଜାବୀ ଗୀତ ଶୁଣିବା ପରେ ଶିଖ୍ ସୈନିକମାନେ ଝୁମିବା ଆରମ୍ଭ କରିବେ ଏବଂ ସେଠାକାର ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଯିବ । ସେଇ ମଉକାରେ ସିଏ ସେଠାରେ ଆକ୍ରମଣ କରିବାକୁ ଯୋଜନା କରିଛି ।
ସେହିପରି ପ୍ୟାଙ୍ଗଙ୍ଗର ଉତ୍ତରରେ ନିୟୋଜିତ ଥିବା ଭାରତୀୟ ସୈନିକଙ୍କୁ ଲାଉଡ୍ସ୍ପିକର ସହାୟତାରେ ଚୀନ୍ ସେନା କହୁଛି କି ଶୀତ ଋତୁରେ ଏଭଳି ପର୍ବତ ଶିଖର ଉପରେ ରହି ଲାଭ କ’ଣ? ଦିଲ୍ଲୀରେ ଥିବା ରାଜନେତାଙ୍କ କଥାରେ ତମେମାନେ ଏଠାରେ ରୁହନାହିଁ । ତମେମାନେ ରାଜନେତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କର । ସେମାନେ ତମ ଜୀବନକୁ ଖାଲିଟାରେ ବିପଦରେ ପକାଉଛନ୍ତି ବୋଲି ଅଭିଯୋଗ କର । ଏପରି କହି ଚୀନ୍ ସେନା ଭାରତୀୟ ସୈନିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇବାକୁ ଚାହୁଁଛି ।