ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଙ୍ଗନା
ମୁମ୍ବାଇ:- ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି, ଗୁରୁବାର ଦିନ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ଅଶେଷ ଶୁଭକାମନା ଜଣାଉଛନ୍ତି । ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ଦୀର୍ଘାୟୁ କାମନା କରୁଛନ୍ତି । ବଲିଉଡର ଅନେକ କଳାକାର ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦିଙ୍କୁ ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରଣାୱତ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ଭିଡିଓ ଜାରି କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମେ ବହୁତ ଭାଗ୍ୟଶାଳୀ, ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି ।ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଭିଡିଓରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଜୀ, ଜନ୍ମଦିନର ବହୁତ ବହୁତ ଶୁଭକାମନା ।ଆପଣଙ୍କ ସହ କଥା ହେବାକୁ କେବେ ମଉକା ମିଳିନି । କିନ୍ତୁ ମୁଁ କହିବାକୁ ଚାହୁଁଚି ଯେ ଦେଶ ଆପଣଙ୍କର ବହୁତ ପ୍ରଶଂସା କରେ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ ଅପମାନ କରନ୍ତି, କିନ୍ତୁ ଆପଣ ବି ଜାଣିଛନ୍ତି ସେ ମାତ୍ର କିଛି ଲୋକ, ତାହା ଏକ ପ୍ରପାଗଣ୍ଡା । କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଆପଣଙ୍କ ପାଇଁ ଯାହା ଅନୁଭବ କରେ, ତାହା ମୁଁ ଯେତେବେଳେ ଦେଖେ ସେତେବେଳେ ଲାଗେ ଆଗରୁ କେବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏତେ ଭକ୍ତି, ପ୍ରେମ, ସମ୍ମାନ ମିଳିଛି । ଶେଷରେ ମୁଁ ବାସ ଏତିକି କହିବାକୁ ଚାହୁଁଚି ଯେ, ଯେଉଁ କୋଟି କୋଟି ଜନତା ସୋସିଆଲ ମିଡ଼ିଆରେ ନାହାନ୍ତି, ଯାହାଙ୍କ ଆବାଜ ଆପଣଙ୍କ ପାଖକୁ ପହଞ୍ଚି ପାରୁନାହିଁ ସେମାନେ ମଧ୍ୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଆମେ ବହୁତ ଭାଗ୍ୟଶାଳୀ ଯେ ଆମକୁ ଆପଣଙ୍କ ଭଳି ପ୍ରଧାନମନ୍ତ୍ରୀ ମିଳିଛନ୍ତି । ଜୟ ହିନ୍ଦ ।ସେପ୍ଟେମ୍ବର ୧୭ ତାରିଖ ଗୁଜରାଟ ବଡ଼ନଗରରେ ଜନ୍ମ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି ।