ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ଅଢ଼େଇ କୋଟି ଚଳୁ: ବ୍ୟାଙ୍କ ମ୍ୟାନେଜର୍‌ ଓ ଋଣୀ ଗିରଫ

ଭୁବନେଶ୍ୱର;-ଜଣେ ମୃତ ବ୍ୟକ୍ତିଙ୍କ ଜାଲ୍‌ ଦସ୍ତଖତରେ ତାଙ୍କ ସମ୍ପତ୍ତି ବନ୍ଧକ ରଖିବା ପରେ ବ୍ୟାଙ୍କରୁ ଅଢ଼େଇ କୋଟି ଟଙ୍କା ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେହିଭଳି ଋଣ ମଞ୍ଜୁର କଲାବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ଠିକ୍‌ରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି। ଜୟଦେବ ବିହାର ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଶାଖାରୁ ହୋଇଥିବା ଏହି ଠକେଇ ସମ୍ପର୍କରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ମୁଖ୍ୟ ପରେଶ କୁମାର ଦାସଙ୍କ ଅଭିଯୋଗ ପରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଉକ୍ତ ଶାଖାର ତତ୍କାଳୀନ ମ୍ୟାନେଜର ତଥା ମୂଲ୍ୟାୟନ ଅଧିକାରୀ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି(ଏବେ ବାପୁଜୀନଗର ପିଏନ୍‌ବିରେ କାର୍ଯ୍ୟରତ) ଓ ଋଣ ଗ୍ରହିତା ଭୀମଟାଙ୍ଗି କେପି ସଲ୍ୟୁସନ୍ସର ପ୍ରୋପ୍ରାଇଟର କାଳୀପ୍ରସାଦ ମିଶ୍ର।

ଅଭିଯୋଗ ମୁତାବକ, ଭୀମଟାଙ୍ଗି ଅଞ୍ଚଳରେ କାଳୀପ୍ରସାଦଙ୍କର ଟାଇଲ୍‌, ସାନିଟାରି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟ ଥିଲା। ୨୦୧୭ ମସିହାରେ ସେ ପିଏନ୍‌ବିର ଏହି ଶାଖାରୁ ୨.୫ କୋଟି ଟଙ୍କା ଋଣ ନେଇଥିଲେ। କିନ୍ତୁ ପରେ ଆଉ ଶୁଝିବା ନାଁ ଧରିନଥିଲେ। ଫଳରେ ଏହି ଋଣ ରାଶି ବଢ଼ି ବଢ଼ି ୨ କୋଟି ୬୭ଲକ୍ଷ ୩୩ ହଜାର ଟଙ୍କାରେ ପହଞ୍ଚିଥିଲା। ଏହା ଭିତରେ ବ୍ୟାଙ୍କ ମ୍ୟାନେଜର ଶ୍ରୀ ପୃଷ୍ଟିଙ୍କର ବାପୁଜୀନଗର ଶାଖାକୁ ବଦଳି ହୋଇଯାଇଥିଲା। ଏତେ ବଡ଼ ଋଣ ଗଡ଼ୁଥିବାରୁ ବ୍ୟାଙ୍କ ପକ୍ଷରୁ ଖୋଳତାଡ୍‌ ଆରମ୍ଭ ହୋଇଥିଲା। ଫଳରେ ଏହି ଋଣ ମଞ୍ଜୁରରେ ହୋଇଥିବା ଘୋଟାଲା ବାବଦରେ ସ୍ପଷ୍ଟ ଚିତ୍ର ପଦାକୁ ଆସିଥିଲା।

Leave a Reply

Your email address will not be published. Required fields are marked *