୫ ବର୍ଷ ଧରି ବେଧଡ଼କ ଚାଲିଥିଲା ନକଲି ଘିଅ ଓ ସସ୍ କମ୍ପାନୀ, ପୋଲିସ୍ କଲା ଚଢ଼ାଉ
କଟକ,:-ପୁଣିଥରେ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢ଼ାଉ କରିଛି ପୋଲିସ୍। ସୋମବାର କଟକ ଜିଲ୍ଲା ଚୌଦ୍ବାର ଅଞ୍ଚଳରେ ଥିବା ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢ଼ାଉ କରିଛି ପୋଲିସ୍। ଏହି ଚଢାଉ ବେଳେ ବିପୁଳ ପରିମାଣର ନକଲି ଘିଅ ଓ ସସ୍ ଆଦି ଜବତ ହୋଇଛି।
ସୋମବାର ପୋଲିସ ଚୌଦ୍ୱାର ୯ନଂ ୱାର୍ଡ ସ୍ଥିତ ଗାନ୍ଧୀ ଛକ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଥିବା ଏକ ନକଲି ଘିଅ ଓ ସସ୍ କମ୍ପାନୀ ଉପରେ ଚଢଉ କରିଥିଲା। ଏହି କମ୍ପାନୀ ଦୀର୍ଘ ୫ ବର୍ଷ ହେବ ଘିଅ ଓ ସସ୍ ନିର୍ମାଣ କରିଆସୁଥିଲା। ସୂଚନା ପାଇ ପୋଲିସ ଚଢଉ କରି କମ୍ପାନୀ ଭିତରୁ ୧୦୦୦ କେଜିରୁ ଉର୍ଦ୍ଧ୍ୱ ଗୁଆ ଘିଅ, ଚିଲ୍ଲିସସ୍, ଟମାଟୋ ସସ୍ ଆଦି ଜବତ କରିଥିଲା। ବିଭିନ୍ନ କେମିକାଲକୁ ମିଶ୍ରଣ କରାଯାଇ ଏହି ସାମଗ୍ରୀ ଗୁଡିକ ବିଭିନ୍ନ ମେସିନ ମାଧ୍ୟମରେ ପ୍ରସ୍ତୁତ ଓ ପାକିଙ୍ଗ କରାଯାଇ ବଜାରରେ ବ୍ରିକ୍ରି ହେଉଥିଲା।
ସମସ୍ତ ମେସିନ ଓ ରାସାୟନିକ ସାମଗ୍ରୀକୁ ପୋଲିସ ଜବତ କରିଛି। ତେବେ ପାଞ୍ଚବର୍ଷ ହେବ ବେଧଡକ ଭାବେ ପ୍ରସ୍ତୁତି ଚାଲି ମାର୍କେଟରେ ବିକ୍ରି ହେଉଥିବାବେଳେ ପୋଲିସ କିଭଳୀ ଟେର ପାଇନଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।ଏହା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ କମ୍ପାନୀ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଖବର ରହିଛି।