ବନ୍ୟା ପ୍ରଭାବିତ ଚାଷୀ ପାଇଁ ବଡ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର:-ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଭାଇଙ୍କ ପାଇଁ ୩ଶହ କୋଟିର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ । ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବସିଡି ମିଳିବ । ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସି ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ ।
୫୦ ପ୍ରତିଶତ ସବ୍ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ୍ ଦିଆଯିବ । ଏହା ସର୍ବାଧିକ ୧୫ ହଜାର ଟଙ୍କା ହେବ । ସେହିପିର ୧ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ । ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ । ଏଥି ପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ୧ ଲକ୍ଷ ଚାଷୀଙ୍କୁ ଭେଜିଟେବୁଲ କିଟ୍ ଦିଆଯିବ । ଏହି କିଟରେ ପାଳଙ୍ଗ, ବିନ୍ସ, ଟମାଟୋ, ଲଙ୍କା, ଶିମ୍ବ ଓ ମୂଳା ମଂଜି ରହିବ। ଏହାର ମୂଲ୍ୟ ୧୩୦ ଟଙ୍କା ।
୧୦ ହଜାର ଛତୁଚାଷୀଙ୍କୁ ୫୦୦ ଟଙ୍କାରେ ଘର ମରାମତି ପାଇଁ ସହାୟତା ରାଶି ମିଳିବ ।