ପୁରୀ ବେଳାଭୂମିରେ ଶୀଘ୍ର ଉଡ଼ିବ ବ୍ଲୁ ଫ୍ଲାଗ
ପୁରୀ: –ପୁରୀ ବେଳାଭୂମିସ୍ଥିତ ‘ବ୍ଲୁ ଫ୍ଲାଗ ବିଚ୍’ରେ ଖ୍ୁବଶୀଘ୍ର ବ୍ଲୁ ଫ୍ଲାଗ ଉଡିବ । ଅନ୍ତର୍ଜାତୀୟ ଜୁରି ଡେନମାର୍କ ଏହି ଅନୁମତି ଦେବା ପରେ ପୁରୀ ବେଳାଭୂମି ବିଶ୍ୱରେ ପରିଚିତ ହୋଇପାରିବ ଓ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ଏହି ଦୌଡ଼ରେ ଥିବା ସମସ୍ତ ୮ଟି ବେଳାଭୂମି ଭଳି ପୁରୀ ବେଳାଭୂମି ଏଥିପାଇଁ ପ୍ରସ୍ତୁତ ହୋଇସାରିଛି । ଖୁବଶୀଘ୍ର ଏହା ପର୍ଯ୍ୟଟକମାନଙ୍କ ପାଇଁ ଖୋଲି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏଥିପାଇଁ ଦର ମଧ୍ୟ ଧାର୍ଯ୍ୟ ହୋଇଛି । ବେଳାଭୂମି ପରିଚାଳନା କମିଟି ଏହି ଦର ଧାର୍ଯ୍ୟ କରିଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି ।
ବେଳାଭୂମିର ରକ୍ଷଣାବେକ୍ଷଣ ପାଇଁ ଏହା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ପୁରୀର ସ୍ଥାନୀୟ ଲୋକେ ଏହି ବେଳାଭୂମି ପାଇଁ ମାସିକିଆ ପାସ ନେଇପାରିବେ । ଏଥିପାଇଁ ସେମାନଙ୍କୁ ମାସକୁ ୩୦୦ ଟଙ୍କା ଦେବାକୁ ହେବ । ସେହି ଭଳି ଜଣେ ପର୍ଯ୍ୟଟକ ୩ ଘଣ୍ଟା ପାଇଁ ୨୦ ଟଙ୍କା ଦେବେ । ପୁରା ଦିନ ପାଇଁ ବୁଲିବାକୁ ଚାହୁଁଥିଲେ ଶହେ ଟଙ୍କା ଦେବାକୁ ହେବ । ସ୍ଥାନୀୟ ଲୋକ ପୁରା ଦିନକ ପାଇଁ ବୁଲିବାକୁ ଚାହୁଁଥିଲେ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଅନ୍ୟପକ୍ଷରେ ବେଳାଭୂମିର ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ । ଏହି ବେଳାଭୂମିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯିବ । ଏଠାରେ ଧୂମପାନ ଓ ମଦ୍ୟପାନ ମଧ୍ୟ ନିଷିଦ୍ଧ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି । ୮୦୦ ମିଟର ବେଳାମାର୍ଗକୁ ବ୍ଲୁ ଫ୍ଲାଗ ବିଚ ପାଇଁ ପ୍ରସ୍ତୁତ କରାଯାଇଛି ।
ଏଥିପାଇଁ ଏଠାରେ ସମସ୍ତ ସୁବିଧା ଖଞ୍ଜି ଦିଆଯାଇଛି । ଏଥିପାଇଁ ସରକାର ୮.୫ କୋଟି ଖର୍ଚ୍ଚ କରିଛନ୍ତି । ବେଳାଭୂମିରେ ସୌର ଶକ୍ତିର ଉପଯୋଗ, ଜୈବ ଆବର୍ଜନା ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଛି । ବ୍ଲୁ ଫ୍ଲାଗ ପାଇଁ ଆବଶ୍ୟକ ଥିବା ୩୩ଟି ଆବଶ୍ୟକତା ପୂରଣ କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସ୍ନାନ ପାଇଁ ପାଣିର ଗୁଣବତ୍ତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୁରୀ ବେଳାଭୂମିରେ ପାର୍କିଂ, ପାନୀୟ ଜଳ, ଫାଷ୍ଟଏଡ, ଲାଇଫ ଗାର୍ଡ ୱାଚ ଟାୱାର, ବେଜିଂ ରୁମ, ପିଲା ଖେଳ ପାଇଁ ବ୍ୟବସ୍ଥା, ବ୍ୟାୟାମ ଉପକରଣ, ବସିବା ପାଇଁ ଚେୟାର ବ୍ୟବସ୍ଥା, ଛତ୍ରୀ, ଶୌଚାଳୟ ଓ ବାର୍ଥିଂ ଜୋନ ଆଦି ବ୍ୟବସ୍ଥା କରାଯାଇଛି ।